• translate
Satyendu Shekher Mishra

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଲଗାତର ବିରୋଧ କରିଚାଲିଛନ୍ତି ସିଦ୍ଧୁ । ଏପରିକି ନିର୍ବାଚନ ପୂର୍ବରୁ ସିଦ୍ଧୁ ଦଳବଦଳ କରିପାରନ୍ତି ବୋଲି ଅମରିନ୍ଦର ସଙ୍କେତ ଦେଇସାରିଛନ୍ତି ।

ଏଭଳି ସ୍ଥିତିରେ ଆଜି ସନ୍ଧ୍ୟା ସମୟରେ ସିଦ୍ଧୁ, ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଆଜି ସକାଳୁ ପ୍ରିୟଙ୍କା ଗାନ୍ଧିଙ୍କ ସହ ମଧ୍ୟ ସିଦ୍ଧୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପଞ୍ଜାବରେ ଆସନ୍ତାବର୍ଷ ଫେବ୍ରୁଆରୀରେ ବିଧାନସଭା ନିର୍ବାଚନ ହୋଇପାରେ । ତେବେ ପଞ୍ଜାବ କଂଗ୍ରେସରେ ସବୁକିଛି ଠିକ୍ ନାହିଁ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ସକ୍ରିୟ ରହିଛି । ଏଥିରେ ସିଦ୍ଧୁ ଏବଂ ରାଜ୍ୟର ଆଉ କିଛି କଂଗ୍ରେସ ନେତା ସାମିଲ ଥିବା କୁହାଯାଉଛି । ପଞ୍ଜାବରେ ଲାଗି ରହିଥିବା ଏହି ବିବାଦର ସମାଧାନ କରିବାକୁ କଂଗ୍ରେସ ହାଇକମାଣ୍ଡ ଗତ କିଛି ଦିନ ହେଲା ଚେଷ୍ଟା କରୁଛନ୍ତି ।

ସିଦ୍ଧୁ ଏହି ଭେଟଘାଟ ସମୟରେ ରାହୁଲଙ୍କୁ ପଞ୍ଜାବ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିସହ କ୍ଷମତାକୁ ନେଇ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ବିବାଦ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ୪୮ ଘଣ୍ଟା ମଧ୍ୟରେ ବଡ଼ ଘୋଷଣା କରିବ । ସିଦ୍ଧୁଙ୍କୁ କୌଣସି ବଡ଼ ପଦ ମିଳିବାର ସମ୍ଭାବନା ରହିଥିବା ଏହି ସୂତ୍ରରେ କୁହାଯାଇଛି ।

ଏହାପୂର୍ବରୁ ବିବାଦର ସମାଧାନ ପାଇଁ ସିଦ୍ଧୁ କଂଗ୍ରେସ ଗଠନ କରିଥିବା ୩ ଜଣିଆ କମିଟି ଆଗରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ । ଅମରିନ୍ଦର ସିଂହଙ୍କ ସହ ମଧ୍ୟ ଏହି କମିଟି ଆଲୋଚନା କରିଥିଲା । କମିଟି ପକ୍ଷରୁ ଉଭୟଙ୍କ ବୟାନ ଓ ନିଜର ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଦିଆଯାଇଛି । ହାଇକମାଣ୍ଡ ତଦ୍‌ନୁଯାୟୀ ବଡ଼ ଘୋଷଣା ୪୮ ଘଣ୍ଟା ମଧ୍ୟରେ କରିବେ ବୋଲି କୁହାଯାଉଛି ।

Other Stories