ଚୀନରୁ ବ୍ୟାପିଛି କି କରୋନା? ତଦନ୍ତ ନିର୍ଦ୍ଦେଶ ଦେଲେ ବାଇଡେନ୍‌

କେଉଁଠୁ ବ୍ୟାପିଲା କରୋନା?

ଭୁବନେଶ୍ୱର: କରୋନା ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୁଣି ବଢିଲା ଚୀନର ଅଡୁଆ। ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ଲାଗି ଦେଶର ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ୍। ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ସେ କହିଛନ୍ତି। ଭୂତାଣୁର ଉତ୍ପତ୍ତି ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ବାଇଡେନଙ୍କ ପଦକ୍ଷେପ ଆମେରିକା-ଚୀନ୍ ସଂପର୍କରେ ଲାଗି ରହିଥିବା ତିକ୍ତତାକୁ ଆହୁରି ଜଟିଳ କରିବ ବୋଲି କୁହାଯାଉଛି।

କେଉଁଠୁ ଆସିଲା କରୋନା ଭୂତାଣୁ? ଜନ୍ତୁଙ୍କ ଦେହରୁ ମଣିଷ ଶରୀରକୁ, ନା ଚୀନ୍ ଲାବୋରେଟୋରିରୁ? ସିଦ୍ଧାନ୍ତରେ ପହଞ୍ଚିବା ଲାଗି ଆମେରିକୀୟ ଗୁଇନ୍ଦା ସଂସ୍ଥାକୁ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ନିର୍ଦ୍ଦେଶ ଭୂତାଣୁର ଉତ୍ପତ୍ତିସ୍ଥଳ ସଂପର୍କରେ ୩ ମାସ ଭିତରେ ତଥ୍ୟ ଓ ପ୍ରମାଣ ସମ୍ବଳିତ ରିପୋର୍ଟ ଦେବାକୁ କହିଛନ୍ତି ବାଇଡେନ୍। ଏଥିଲାଗି ନିଜ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ସେ ଗୁଇନ୍ଦା ସଂସ୍ଥାକୁ ଆହ୍ୱାନ ଦେଇଛନ୍ତି। ମିଳୁଥିବା ତଥ୍ୟର ବିଶ୍ଳେଷଣ ଓ ତର୍ଜମା ସାଙ୍ଗକୁ ଠୋସ୍ ପ୍ରମାଣ ହାତେଇବାକୁ ସେ କହିଛନ୍ତି। ଗୁଇନ୍ଦା ସଂସ୍ଥାଙ୍କୁ ତଦନ୍ତରେ ସହଯୋଗ ଲାଗି ଆମେରିକାର ନ୍ୟାସନାଲ ଲାବୋରେଟୋରୀକୁ କୁହାଯାଇଛି।

ଏଥିସହ ଚୀନକୁ ବି ତଦନ୍ତରେ ସହଯୋଗ ଲାଗି ଆହ୍ୱାନ ଜଣାଇଛନ୍ତି ବାଇଡେନ୍। ତଦନ୍ତ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଦେବା ଲାଗି ସେ ଚୀନକୁ ଅନୁରୋଧ କରିଛନ୍ତି। ଚୀନକୁ ତଦନ୍ତରେ ସହଯୋଗ ଲାଗି ରାଜି କରାଇବାକୁ ବାଇଡେନ୍ ଆମେରିକାର ସହଯୋଗୀ ରାଷ୍ଟ୍ରଙ୍କ ଜରିଆରେ ମଧ୍ୟ ସି ଜିନପିଙ୍ଗ୍‌ ପ୍ରଶାସନ ଉପରେ ଚାପ ପ୍ରୟୋଗ ଆରମ୍ଭ କରିଛନ୍ତି। ଚୀନ୍ ସରକାର ତଦନ୍ତରେ ସହଯୋଗ ନକଲେ ସତ କେବେ ବି ପଦାକୁ ଆସିବ ନାହିଁ ବୋଲି ବାଇଡେନ୍ କହିଛନ୍ତି।

କୋଭିଡ୍ ଭୂତାଣୁର ଉତ୍ପତ୍ତି ସଂପର୍କିତ ସତ ପଦାକୁ ନଆସିଲେ ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ ବିରୋଧରେ ଲଢେଇ ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ଆମେରିକା ପ୍ରିନ୍ସିପାଲ ଡେପୁଟି ପ୍ରେସ ସେକ୍ରେଟାରୀ କରିନ୍ ଜିନ୍ ପେରିବ୍ୟାକ୍। ବର୍ତ୍ତମାନର ମହାମାରୀକୁ ବୁଝିବା ଏବଂ ଭବିଷ୍ୟତର ମହାମାରୀକୁ ରୋକିବା ଲାଗି ଆମେରିକା ସବୁ ପ୍ରକାର ଉପାୟ କରିବ। ସେହିପରି କରୋନା ସଂକ୍ରମଣର ମୂଳରେ ପହଞ୍ଚିବା ନିହାତି ଦରକାର ବୋଲ କହିଛନ୍ତି ହ୍ୱାଇଟ୍‌ହାଉସ୍‌ କରୋନା ଉପଦେଷ୍ଟା ଆଣ୍ଡି ସ୍ଲାଭିଟ୍। ଚୀନ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୂତାଣୁ ସଂକ୍ରମଣ ନେଇ ବିଶ୍ୱ ସମୁଦାୟକୁ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଦାନ କରିବା ଉଚିତ୍ ବୋଲି ସେ କହିଛନ୍ତି।

କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଦୁଇଟି ମତବାଦ ରହିଛି। ପ୍ରଥମେ ବାଦୁଡିଙ୍କ ଦେହରୁ ବଜ୍ରକାପ୍ତା ଏବଂ ପରେ ଏଥିରେ ପରିବର୍ତ୍ତନ ହୋଇ ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥିବା ଚୀନର ବିଶେଷଜ୍ଞମାନେ କହୁଛନ୍ତି। ସେହିପରି ଉହାନ୍ ଲ୍ୟାବରୁ ଭୂତାଣୁ ଲିକ୍ ଅଭିଯୋଗକୁ ଚୀନ୍ ଖଣ୍ଡନ କରିଆସୁଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ଲାଗି ଚୀନ୍ ଏଯାଏଁ ରାଜି ହୋଇନି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମକୁ ମଧ୍ୟ ଚୀନ୍ ପ୍ରଥମେ ଅନୁମତି ଦେଇନଥିଲା। ପରେ ଅନ୍ତର୍ଜାତୀୟ ଚାପ ଆଗରେ ଚୀନ୍ ଏଥିପାଇଁ ରାଜି ହୋଇଥିଲା। ତେବେ WHO ଟିମ୍ ଉହାନ ଯାଇ ଅନୁଧ୍ୟାନ କରିଥିଲେ ମଧ୍ୟ ଚୀନ୍ ଅଧିକାଂଶ ତଥ୍ୟ ପ୍ରମାଣ ନଷ୍ଟ କରିଦେଇଥିବା କୁହାଯାଉଛି।

ଭୂତାଣୁ ପଶୁଙ୍କ ଠାରୁ ମଣିଷକୁ ଆସିଥିବା ନେଇ WHO ଟିମ୍ ଚୀନର ଯୁକ୍ତି ସହ ଅଳ୍ପ ବହୁତେ ସହମତି ପ୍ରକାଶ କରିଥିଲେ ମଧ୍ୟ ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ର ଏହାକୁ ମାନିବାକୁ ନାରାଜ୍ ।ଉହାନ ଲାବୋରେଟୋରୀରୁ ହିଁ ଏହି ଭୂତାଣୁ ଦୁର୍ଘଟଣାକ୍ରମେ ଲିକ୍ ହୋଇଥିବା କୁହାଯାଉଛି। କରୋନା ସଂକ୍ରମଣ ପୂର୍ବରୁ ୟୁହାନ ଲ୍ୟାବର କିଛି ଗବେଷକ ଅସୁସ୍ଥ ହୋଇପଡିଥିବା ଓ୍ୱାଲର୍ଡ ଷ୍ଟ୍ରିଟ୍ ଜର୍ନାଲରେ ଖବର ପ୍ରକାଶ ପାଇଛି। ଏହା ଭୂତାଣୁ ଲିକ୍ ସନ୍ଦେହକୁ ଦୃଢିଭୂତ କରୁଛି।

You might also like