ଲୋକାର୍ପିତ ହେଲା ଜାତୀୟ ସମର ସ୍ମାରକୀ

୧୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସ୍ମାରକୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀରେ ଲୋକାର୍ପିତ ହୋଇଛି ଜାତୀୟ ସମର ସ୍ମାରକୀ। ଇଣ୍ଡିଆ ଗେଟ୍ ଅମର ଯବାନ ଜ୍ୟୋତି ନିକଟରେ ଦେଶର ପ୍ରଥମ ସମର ସ୍ମାରକୀକୁ ପ୍ରଧାନମନ୍ତ୍ରୀ ସୋମବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ସ୍ୱାଧୀନତା ପରଠୁ ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କ ସ୍ମୃତିରେ ଏହି ସ୍ମାରକୀ ପ୍ରତିଷ୍ଠା କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠୁ ଏଯାଏଁ  ପ୍ରାୟ ୨୬ ହଜାର ଯବାନ ସହିଦ ହୋଇଛନ୍ତି। ସମର ସ୍ମାରକୀରେ ଏହି ସମସ୍ତ ସହିଦମାନଙ୍କ ନାଁ, ରେଜିମେଣ୍ଟ ଓ ରାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

 

ଦେଶରେ ପ୍ରଥମ ସମର ସ୍ମାରକୀ ପ୍ରତିଷ୍ଠା ଲାଗି କେନ୍ଦ୍ରର ଏନଡିଏ ସରକାର ଗତ ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ। ପରେ ୨୦୧୫ରେ ଏହାର ନିର୍ମାଣ ପାଇଁ ନିଷ୍ପତ୍ତି  ନିଆଯାଇଥିଲା । ଗତ ବର୍ଷ ଫେବୃୟାରୀରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଏହି ବର୍ଷ ଫେବୃୟାରୀରେ ଏହାକୁ ଶେଷ କରାଯାଇଥିଲା। ଇଣ୍ଡିଆ ଗେଟ୍ କମ୍ପ୍ଲେକ୍ସର ୪୦ ଏକର ପରିମିତ ସ୍ଥାନରେ ନିର୍ମିତ ଏହି ସ୍ମାରକୀ ଲାଗି ମୋଟ ୧୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

You might also like