ଜାତୀୟ ନିଯୁକ୍ତି ସଂସ୍ଥାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ । ଏହାର ନାଁ ରଖାଯାଇଛି ଜାତୀୟ ନିଯୁକ୍ତି ସଂସ୍ଥା ବା NRA (National Recruitment Agency))। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ଅଣଗେଜେଟେଡ୍ ପଦବୀ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ଲାଗି ଏନ୍ଆରଏ ଗୋଟିଏ କମନ ଏଲିଜିବିଲିଟି ଟେଷ୍ଟ କରିବ।

ଷ୍ଟାଫ୍ ସିଲେକ୍ସନ ବୋର୍ଡ, ରେଲଓ୍ୱ ରିକ୍ରୁଇଟମେଣ୍ଟ ବୋର୍ଡ ଓ ଆଇବିପିଏସ୍ ଭଳି ନିଯୁକ୍ତି ସଂସ୍ଥାର ଚାକିରୀ ପାଇଁ NRA ଏକକ ପ୍ରବେଶିକା ପରୀକ୍ଷା କରିବ । ଗ୍ରୁପ୍-ବି ଓ ଗ୍ରୁପ-ସି ପଦବୀ ପାଇଁ ପ୍ରିଲିମିନାରୀ କରିବ । ପରେ ମଲ୍ଟି ଏଜେନ୍ସି ବଡି ପୃଥକ ଭାବେ ୩ଟି ଶ୍ରେଣୀ ପାଇଁ COMMON ENTRANCE TEST କରିବ ।

ସ୍ନାତକ, ଯୁକ୍ତ ୨ ଓ ମାଟ୍ରିକ୍ ପିଲାଙ୍କ ପାଇଁ ପୃଥକ ପରୀକ୍ଷା କରାଯିବ। ଏହି ପରୀକ୍ଷା ଫଳ ଆଧାରରେ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥା ଅନ୍ତିମ ପର୍ଯ୍ୟାୟରେ ପରାକ୍ଷାର୍ଥୀଙ୍କୁ ଚୟନ କରିବେ।  ପ୍ରତିବର୍ଷ ୨ କୋଟି ୫୦ ଲକ୍ଷରୁ ୩ କୋଟି ପଦବୀ ପାଇଁ ନିଯୁକ୍ତି ହେଉଛି । ସିଇଟି ପରୀକ୍ଷା ଦେବା ପରେ ଏ ସମସ୍ତ ପଦବୀ ପାଇଁ ଉଚ୍ଚସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିପାରିବେ । ପରୀକ୍ଷାର୍ଥୀମାନେ ଏକ କମନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପରେ ନିଜର ଇଛା ମୁତାବକ ସେଣ୍ଟର ଚୟନ କରିପାରିବେ । ବିଭିନ୍ନ ଭାଷାରେ ସିଇଟି କରାଯିବ।  ଯାହା ଫଳରେ ସବୁ ଅଞ୍ଚଳର ପିଲା ଉପକୃତ ହୋଇପାରିବେ । ଗୋଟିଏ ହିଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦ୍ୱାରା ପରୀକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ଚାକିରୀ ପାଇଁ ଭିନ୍ନ ଭିନ୍ନ ଫର୍ମ ଫିଲ୍ଅପ୍ କରି ଅଯଥା ଖର୍ଚ୍ଚାନ୍ତ ହେବେନାହିଁ । ପ୍ରତି ଜିଲ୍ଲାରେ NRA ପରୀକ୍ଷା ସେଣ୍ଟର କରିବା ପାଇଁ ଯୋଜନା କରାଯାଉଛି । ଏହା ଦ୍ୱାରା ଗ୍ରାମାଞ୍ଚଳର ପିଲା, ଗରିବ ଓ ମହିଳାମାନେ ଅଧିକ ଉପକୃତ ହେବେ ।

You might also like