ବାଇଡେନ୍-ହାରିସ୍‌ଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ୱାସିଂଟନ୍: ବାଇଡେନ୍-ହାରିସଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଶୈଳୀରେ ବାଇଡେନଙ୍କ ଉପରେ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଏଫ୍‌ଟିଆଇ ଓ ଆମେରିକା ପ୍ରତିରକ୍ଷା ବିଭାଗ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି।

ପୁରା ଓ୍ୱାଶିଂଟନ ଡିସିକୁ ନାକାବନ୍ଦୀ କରାଯାଇଛି। ୨୫ ହଜାର ସୈନ୍ୟ ସହରର ଗଳିକନ୍ଦିରେ ମୁତୟନ ରହିଛନ୍ତି। ଉତ୍ସବରେ ମାତ୍ର ଏକ ହଜାର ଅତିଥି ଉପସ୍ଥିତ ରହିବେ। ସେହିପରି ଆମେରିକୀୟ ସାଂସଦମାନେ ସାଙ୍ଗରେ ମାତ୍ର ଜଣେ ଅତିଥି ଆଣିବାକୁ କୁହାଯାଇଛି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା କ୍ୟାପିଟଲ ହିଲ୍ କବ୍ଜା ଉଦ୍ୟମ ଓ ହିଂସାକାଣ୍ଡକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି।

ଗଲା କିଛି ଦିନ ହେଲା କିଛି ଉଗ୍ର ଚିନ୍ତାଧାରାର ଲୋକ ସୋସିଆଲ ମିଡିଆରେ ଆତଙ୍କ ସୃଷ୍ଟି କଲା ଭଳି ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି। ବାଇଡେନ୍ ଓ ହାରିସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କିଛି ଅଧିକାରୀ ଏହାଦ୍ୱାରା ପ୍ରଭାବିତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଯାହାକି ଅନ୍ତର୍ଘାତୀ ଆକ୍ରମଣ ଆଶଙ୍କାକୁ ବଢାଇଛ॥ ଏଫଟିଆଇ ଏଭଳି କିଛି ଲୋକଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି।

ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ। ଆମେରିକାରେ ଅର୍ଥନୈତିକ ସଂଘର୍ଷ ଓ ସାଂସ୍କୃତିକ ଉତ୍ତେଜନା ଭିତରେ ନୂଆ ସରକାର ଦାୟିତ୍ୱ ନେବ ବାଇଡେନଙ୍କ ଶପଥ ଉତ୍ସବ ଭାରତ ଓ ଭାରତୀୟଙ୍କ ପାଇଁ ଐତିହାସିକ ହେବାକୁ ଯାଉଛି।

କାରଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ଉପରାଷ୍ଟ୍ରପତି ପଦରେ ବସିବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ସମସ୍ତ ପ୍ରସ୍ତୁତି ସରିଛି। ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍ ଚାରିପାଖରେ ୨୫ ହଜାର ସୁରକ୍ଷା କର୍ମୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ତେବେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ ଶପଥ ଉତ୍ସବରେ ଯୋଗ ଦେଉନଥିବାରୁ, ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ପୁରା କରିବେ।

ଭାରତ ପ୍ରତି କିଭଳି ଆଭିମୁଖ୍ୟ ରଖିବ ଆମେରିକାର ନୂଆ ସରକାର ? ପାକିସ୍ତାନ ପ୍ରତି ନରମ ହେବେ ନା କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବାଇଡେନ୍। ଏହାସହ ଚୀନ୍ ପ୍ରତି ଆମେରିକାର ନୀତି କଣ ରହିବ ? ବିସ୍ତାରବାଦୀ ଚୀନର ପ୍ରଭାବ ହ୍ରାସ ଲାଗି ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭଳି ବାଇଡେନ ଟିମ୍ ଭାରତ ସହ ସହଯୋଗ ରଖିବ ନା ଆଭିମୁଖ୍ୟ ବଦଳାଇବ ତା ଉପରେ ନଜର ରହିଛି।

You might also like