ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଏସି ବସ୍, ଗାଡ଼ିରେ ଥିଲେ ୧୫ ଯାତ୍ରୀ‌

ବିଶାଖାପାଟଣା: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଏସି ବସ୍‌। ଆଶ୍ୱସ୍ତିକର କଥା, ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆନ୍ଧ୍ରପ୍ରଦେଶ କାକିନାଡା ସହରରେ ଏହି ଅଘଟଣ ଘଟିଛି। ଇନ୍ଦ୍ରା ନାମକ ଏହି ବସ୍‌ଟି କାକିନାଡାରୁ ବିଜୟଓ୍ୱାଡା ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଗାଡ଼ିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏହି ସମୟରେ ବସ୍‌ରେ ୧୫ ଜଣ ଯାତ୍ରୀ ଥିଲେ।

ଗାଡ଼ି ଭିତରୁ କିଛି ପୋଡ଼ି ଯିବାର ବାସ୍ନା ଆସିବା ପରେ ଡ୍ରାଇଭର ତତ୍‌କ୍ଷଣାତ ଯାତ୍ରୀମାନଙ୍କୁ ଏସମ୍ପର୍କରେ ସତର୍କ କରାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ତୁରନ୍ତ ବସ୍‌ଟିକୁ ଅଟକାଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଓହ୍ଲା ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାୟ୨ଘଣ୍ଟା ସମୟ ଲାଗିଥିଲା।

ଗାଡ଼ି ଇଞ୍ଜିନ୍‌ ତାରରେ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇ ନାହାନ୍ତି। ଗାଡ଼ି ଭିତରେ ଧୂଆଁ ଏତେ ପରିମାଣରେ ହୋଇଯାଇଥିଲା ଯେ, ଗାଡ଼ିର କାଚ ଭାଙ୍ଗିବାକୁ ପଡ଼ିଥିଲା। ଡ୍ରାଇଭରଙ୍କ ସମେତ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

You might also like