• translate
Sarbeswar
  • କାଲି ପଶ୍ଚିମବଙ୍ଗ-ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
  • ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ ସିଟ୍ ପାଇଁ ହେବ ଭୋଟିଂ
  • ନନ୍ଦିଗ୍ରାମରେ କାହାକୁ ବାଛିବେ ଜନତା?
  • ନନ୍ଦିଗ୍ରାମରେ ସ୍ଥିର ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ
  • ବେଙ୍ଗଲର ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ମୁଡ୍ ପରଖିଛି ଓଟିଭି

କୋଲକତା(ପ୍ରସନ୍ନଜିତ୍ ରାୟ): ଆସନ୍ତାକାଲି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ପଶ୍ଚିମବଙ୍ଗରେ ୩୦ଟି ଏବଂ ଆସାମରେ ୩୯ଟି ସିଟ୍ ପାଇଁ ଭୋଟ ଗ୍ରହଣ ହେବ। ଭୋଟର୍ ପ୍ରସ୍ତୁତ ତ ପୋଲିଂ ବୁଥ୍ ବି ପ୍ରସ୍ତୁତ ହୋଇ ରହିଛି। ତେବେ ସମସ୍ତଙ୍କ ନଜର ଅଟକି ରହିଛି ନନ୍ଦିଗ୍ରାମ ଉପରେ। କାରଣ, ଏଠି ସ୍ଥିର ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ। ସେପଟେ ଆସାମରେ ଏନଡିଏ ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରଗରମ ହେଉଛି ପ୍ରଚାର।

ନନ୍ଦିଗ୍ରାମରେ କାହାର ହେବ ଜିତାପଟ୍? କାହାକୁ ବାଛିବେ ଜନତା? ରାତି ପାହିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ବାଜିରେ ଲାଗିଛି ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ। ପାଖାପାଖି ୮୦ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ୩୦ଟି ଆସନ ପାଇଁ ଭୋଟଗ୍ରହଣ ହେବ। ତେବେ ସମସ୍ତଙ୍କ ନଜର, ନନ୍ଦିଗ୍ରାମ ଉପରେ ରହିଛି। କାରଣ, ସବୁ ସିଟ୍ ଭିତରେ ହଟସିଟ୍‌ ପାଲଟିଛି ନନ୍ଦିଗ୍ରାମ। ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରେ ବାଜି ଲଗାଇଛନ୍ତି ଟିଏମସି ସୁପ୍ରିମୋ। ଆଉ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ। ନନ୍ଦିଗ୍ରାମରେ କେବଳ ମତଦାନ ହେଉନି ବରଂ ଚାଲିଛି ସମ୍ମାନର ଲଢେଇ। କହିବାକୁ ଗଲେ ଏଥର ମମତା ଓ ମୋଦିଙ୍କ ମଧ୍ୟରେ ହେଉଛି କଡା ଫାଇଟ୍। ଏସବୁ ଭିତରେ ମତଦାନ ପୂର୍ବରୁ ବେଙ୍ଗଲର ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ମୁଡ୍ ପରଖିଛି ଓଟିଭି ।

ଆସନ୍ତକାଲି ଆସାମ ବିଧାନସଭା ପାଇଁ ବି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ୩୯ଟି ସିଟରେ ୩୪୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୭୩ ଲକ୍ଷରୁ ଅଧିକ ଭୋଟର୍। ମୈଦାନରେ ରହିଛନ୍ତି ୨୬ ଜଣ ମହିଳା ଏବଂ ୧୭୬ ସ୍ୱାଧୀନ ପ୍ରାର୍ଥୀ। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକାଂଶ ଆସନରେ ଏନଡ଼ିଏ ଏବଂ କଂଗ୍ରେସ ନେତୃତ୍ୱ ମହାଯୋଟ ମଧ୍ୟରେ ସିଧାସଳଖ ଲଢେଇ ହେଉଛି।

ଏହାରି ଭିତରେ ଆସନ୍ତା ଏପ୍ରିଲ ୬ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରଗରମ ହୋଇଛି। ଆସାମ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ତିନିଟି ସ୍ଥାନରେ ରାଲି ସହ ରୋଡ ସୋ କରି ଶାହା କରିଛନ୍ତି ଶକ୍ତି ପ୍ରଦର୍ଶନ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ଶାହା କହିଛନ୍ତି,୨୦୨୨ ପୂର୍ବରୁ ଆସାମକୁ ଶାନ୍ତିପୂର୍ଣ୍ଣ ରାଜ୍ୟରେ ପରିଣତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ସେପଟେ ନିର୍ବାଚନୀ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ରାହୁଲ ଗାନ୍ଧି ମାରିଛନ୍ତି ମିଛ ପ୍ରତିଶ୍ରୁତିର ତୀର। ତେବେ ସମୟ କହିବ କାହା ଉପରେ ବିଶ୍ୱାସ କରୁଛନ୍ତି ଭୋଟର।

Other Stories