ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି, ସେମାନେ କାଗଜ ହିରୋ; ନାନା ପାଟୋଲେ
ମମ୍ବାଇ: ତୈଳ ଦର ବୃଦ୍ଧି ଉପରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ଆଜି ପୁଣିଥରେ ବର୍ଷିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ।
ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି ବୋଲି କହି ଦୁଇ ସୁପର ଷ୍ଟାର୍ଙ୍କୁ ସମାଲୋଚନା କରିଛନ୍ତି ପାଟୋଲେ। ଏଥିସହିତ ଏହି ଦୁଇ କଳାକାରଙ୍କର ଫିଲ୍ଲ ଯେଉଁଠି ରିଲିଜ୍ ହେବ ସେଠାର କଂଗ୍ରେସ କଳା ପାତାକା ଦେଖିବ ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି “ ମୁଁ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ବିରୋଧରେ କହୁନାହିଁ ବରଂ ସେମାନଙ୍କ କାର୍ଯ୍ୟ ବିରୋଧରେ କହୁଛି। ସେମାନେ ପ୍ରକୃତ ହିରୋ ନୁହଁନ୍ତି। ଆଉ ଯଦି ସେମାନେ ହିରୋ ହୋଇଥାନ୍ତେ ତେବେ ସେ ଜନତାଙ୍କର ଏପରି ପରିସ୍ଥିତିରେ ସେମାନଙ୍କ ପାଖରେ ନିଶ୍ଚିତ ଛିଡ଼ା ହୋଇଥାନ୍ତେ। ଯଦି ସେମାନେ କାଗଜ ବାଘ ହୋଇ ରହିବାକୁ ଚାହୁଁଛନ୍ତି, ତେବେ ଆମର କୌଣସି ସମସ୍ୟା ନାହିଁ।” ଖବର ସରବରାହ ସଂସ୍ଥା ଏନ୍ଆଇକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପାଟୋଲେ।
ଦୁଇ ସୁପରଷ୍ଟାର୍ଙ୍କ ବିରୋଧରେ ମନ୍ତବ୍ୟ ଦେଇ ପାଟୋଲେ କହିଛନ୍ତି ଯେ କଂଗ୍ରେସ ଗଣତାନ୍ତ୍ରୀକ ଉପାୟରେ ନିଶ୍ଚୟ ତାର ପ୍ରତିବାଦ ଜାରି ରଖିବ। ଆମେ ପଛକୁ ଫେରିବୁ ନାହିଁ। ଯେତେବେଳେ ବି ତାଙ୍କର ଫିଲ୍ମ ରିଲିଜ୍ ହେବ କିମ୍ବା ତାଙ୍କୁ ଯେଉଁଠି ଦେଖିବୁ କଳାପତାକ ଦେଖିବୁ ବୋଲି ପାଟୋଲେ କହିଛନ୍ତି। ଆମେ ଗଣତାନ୍ତ୍ରୀକ ରାସ୍ତାରେ ଯିବୁ। କାରଣ ଆମେ ଗୋଡ୍ସେ ନୁହେଁ ଗାନ୍ଧୀ ବୋଲି ଏନ୍ଆଇକୁ କହିଛନ୍ତି ପାଟୋଲେ।
ଦେଶରେ ବାରମ୍ବାର ବଢ଼ୁଥିବା ତୈଳ ଦର ସାଧାରଣ ଜନତା କାଙ୍ଗାଳ କରୁଛି। ଏଥିପାଇଁ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ସରକାର ଥିବା ବେଳେ ତୈଳ ଦର ବୃଦ୍ଧି ହେଉଥିଲେ ଅମିତ ଓ ଅକ୍ଷୟଙ୍କ ଭଳି ଫିଲ୍ମ ଷ୍ଟାର୍ ସରକାରଙ୍କୁ କଟାକ୍ଷ କରି ଟ୍ୱିଟ୍ କରୁଥିଲେ। ଆଜି ସେମାନେ କାହିଁକି ନୀରବ ବୋଲି ପ୍ରଶ୍ନ କରିଛି ମହାରାଷ୍ଟ୍ର କଂଗ୍ରେସ। ଏନେଇ ଫେବ୍ରୁଆରୀ ୧୮ ତାରିଖରେ ଅକ୍ଷୟ ଓ ଅମିତାଭଙ୍କ ଉପରେ ପ୍ରବଳ ପର୍ଷିଥିଲେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ।
ପାଟୋଲେ କହିଥିଲେ ଯେ ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ମନମୋହନ ସିଂହଙ୍କ ସରକାର ବେଳେ ତୈଳ ଦର ବଢୁଥିଲେ ଅମିତାଭ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍ମାନେ ଟ୍ୱିଟ୍ କରୁଥିଲେ, ହେଲେ ଆଜି ସେମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି। ମୋଦି ସରକାରଙ୍କର ଏକଛତ୍ରବାଦ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସହାସ ନାହିଁ ବୋଲି ପାଟୋଲେ କହିଥିଲେ।
ଏଥିସହିତ ମହାରାଷ୍ଟ୍ରରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂ କରାଇ ନଦେବାକୁ ଧମକ ମଧ୍ୟ ଦେଇଥିଲେ। କହିଥିଲେ ”ଆପଣମାନେ(ଅମିତାଭ, ଅକ୍ଷୟ) ମୋଦି ସରକାରଙ୍କ ଦେଶ ବିରୋଧୀ ପଲିସି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ, ନହେଲେ ଆମେ ଫିଲ୍ମ ଶୁଟିଂ ବନ୍ଦ କରିଦେବୁ।”
ପାଟୋଲେଙ୍କର ଏଭିଳି ଧମକ୍କୁ ବିରୋଧ କରି କଳାକାରମାନଙ୍କ ସମର୍ଥନରେ ବାହାରିଥିଲା ବିଜେପି। କଂଗ୍ରେସ ଦେଶର ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଧମକ୍ ଦେଇଛି। ଭାରତ ସପକ୍ଷରେ ଟ୍ୱିଟ୍ କରିବା କଣ ଅପରାଧ ବୋଲି ବିଜେପି ନେତା ରାମ କଦମ ଏକ ଭିଡିଓ ଜାରି କରି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଦେଶରେ ବସିଥିବା କିଛି ଲୋକ ଭାରତର ଭାବମୂର୍ତ୍ତିକୁ ମଳିନ କରୁଛନ୍ତି। ଏବଂ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି ବୋଲି ରାମ୍ କଦମ ଭିଡିଓରେ କହିଥିଲେ।