ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ

ଯୁବକଙ୍କୁ ଦେଇଦେଲେ ନିଜ ବେଡ, ୩ ଦିନ ପରେ ଜୀବନ ନେଇଗଲା ଭାଇରସ୍

ନାଗପୁର : ’ମୁଁ ମୋ ଜୀବନ ବଞ୍ଚିସାରିଛି, ତା’ର ପିଲା ଛୁଆ ଅଛନ୍ତି, କିଛି ହୋଇଗଲେ ତା’ ପିଲାମାନେ ଅନାଥ ହୋଇଯିବେ’ । ସାମ୍ନାରେ ଥିଲା ମୃତ୍ୟୁ, ତଥାପି ଦୃଢ଼ନିଶ୍ଚୟ ଥିଲେ ମହାନ ମଣିଷ । ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ । କରୋନାର ଦ୍ୱିତୀୟ ଲହରୀ ସମୟରେ ଦେଶରେ ବେଡ ସମସ୍ୟା ଦେଖାଯାଉଥିବା ବେଳେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଆଡମିଟ୍ ଥିବା ବେଡ ଦେଇଦେଲେ ଆରଏସଏସର ସଦସ୍ୟ ରହିସାରିଥିବା ନାଗପୁରର ୮୫ ବର୍ଷିୟ ନାରାୟଣ ଭାଓରାଓ ଦାଭାଡକର । ଜୀବନର ଶେଷ ସମୟରେ ସେ ଏପରି ତ୍ୟାଗ କରିଛନ୍ତି, ଯାହା ପୂରା ରାଜ୍ୟ ତଥା ଦେଶରେ ଚର୍ଚ୍ଚା ହେଉଛି । ତେବେ ଘରକୁ ଫେରି ଆସିବାର ତିନି ଦିନ ପରେ ସେ ଜୀବନ ହାରିଛନ୍ତି ।

ମହାରାଷ୍ଟ୍ରର ନାଗପୁରର ନାରାୟଣ ଭାଓରାଓ ଦାଭାଡକର । ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ  ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଝିଅଜ୍ୱାଇଁ ତାଙ୍କୁ ନାଗପୁରର ଇନ୍ଦିରା ଗାନ୍ଧୀ ଶାସକୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନେକ କଷ୍ଟ କରିବା ପରେ ପରେ ତାଙ୍କ ପାଇଁ ଏକ ବେଡ ଯୋଗାଡ ହୋଇ ପାରିଥିଲା । ତେବେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଜଣେ ମହିଳା ନିଜୟ ୪୦ ବର୍ଷିୟ କରୋନା ସଂକ୍ରମିତ ସ୍ୱାମୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ବେଡ ଖାଲି ନଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସଫା ସଫା ମନା କରିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ସ୍ୱାମୀ ଆମ୍ବୁଲାନ୍ସରେ ଥାଇ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ମହିଳା ଜଣକ ଡାକ୍ତରଙ୍କ ଗୋଡ ଧରି ବେଡ ଟିଏ ପାଇଁ ଭିକ ମାଗୁଥିଲେ ।

ହେଲେ ଏଥିରେ ଡାକ୍ତର ବାବୁ ବା କ’ଣ ପାରନ୍ତେ । ସବୁ ବେଡରେ ରୋଗୀ ଥିଲେ ବେଳେ ସେ ବି ଲାଚାର ହୋଇପଡ଼ିଥିଲେ । ଏହା ଦେଖି ନାରାୟଣ ଭାଓରାଓ ଦାଭାଡକର ନିଜକୁ ରୋକି ପାରିନଥିଲେ । ସେ ନିଜେ କରୋନା ସଂକ୍ରମିତ ହୋଇଥିବାବେଳେ ତାଙ୍କର ଅମ୍ଳଜାନ ସ୍ତର ୬୦ରେ ପହଞ୍ଚିଥିଲା। ତଥାପି ନିଜ ଜୀବନ କଥା ଚିନ୍ତା ନକରି ଘରକୁ ଫେରିଆସିଲେ । ମୃତ୍ୟୁ ସାମ୍ନାରେ ଥିଲେ ସୁଦ୍ଧା ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ବେଡ ଦେଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ତେବେ ତାଙ୍କ ଅନୁରୋଧ ରକ୍ଷାକରି ଡାକ୍ତରଖାନା କର୍ତ୍ତପକ୍ଷ ତାଙ୍କ ଠାରୁ ଏକ ଲେଖା ନେଇଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା, ମୁଁ ଅନ୍ୟ ରୋଗୀଙ୍କ ପାଇଁ ସ୍ୱେଚ୍ଛାକୃତ ଭାବରେ ମୋର ଶଯ୍ୟା ଦାନ କରୁଛି । ଦାଭାଡକର ଏହି ଫର୍ମ ପୂରଣ କରି ଘରକୁ ଫେରି ଯାଇଥିଲେ ।  ତେବେ ସେ ଘରକୁ ଫେରିଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ୩ ଦିନ ପରେ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ ସଂକ୍ରମଣ ସମୟରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ ସହ ଜଡିତ ଥିବା ଦାଭାଡକରଙ୍କ ବଳିଦାନ ସବୁ ଦିନ ପାଇଁ ମନେ ରହିବ ।

You might also like