ତାଞ୍ଜାନିଆରେ ଅଜଣା ରୋଗର ଆତଙ୍କ : ରକ୍ତ ବାନ୍ତି କରି ଜୀବନ ହାରୁଛନ୍ତି ରୋଗୀ

  • ତାଞ୍ଜାନିଆରେ ଅଜଣା ରୋଗ, ରକ୍ତ ବାନ୍ତି କରିବା ପରେ ଟଳି ପଡ଼ୁଛନ୍ତି ରୋଗୀ
  • ଏହି ରୋଗରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଚିକିତ୍ସିତ ହେଉଛନ୍ତି
  • ହେଲେ ଅଜଣା ରୋଗର ରହସ୍ୟ ପ୍ରକାଶ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କଲେ ତାଞ୍ଜାନିଆ ସରକାର

କରୋନା ମହାମାରୀ ମଧ୍ୟରେ ତାଞ୍ଜାନିଆରେ ଆଉ ଏକ ଅଜଣା ରୋଗରେ ଆତଙ୍କିତ ଲୋକେ। ବର୍ତ୍ତମାନ ଅଦୃଶ୍ୟ ରୋଗ କବଳରେ ପଡ଼ି ଛଟପଟ ହେଉଛନ୍ତି ତାଞ୍ଜାନିଆବାସୀ। ଏହି ଅଜଣା ରୋଗ ଯୋଗୁଁ  ପାଖାପାଖି ୧୫ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଏ‍ବେ ସୁଦ୍ଧା ୫୦ ଜଣ ଲୋକ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିନ୍ତାଜନକ ବିଷୟ ହେଲା ଏହି ଅଜ୍ଞାତ ରୋଗରେ ପ୍ରଥମେ ରକ୍ତ ବାନ୍ତି କରୁଛନ୍ତି ରୋଗୀ, ଆଉ ତା’ପରେ ହଠାତ ତାଙ୍କର ମୃତ୍ୟୁ ହୋଇଯାଉଛି। ତେବେ ଏହି ଘଟଣା ପ୍ରଘଟ ହେବା ପରେ ଛାନିଆ ହୋଇଯାଇଛନ୍ତି ଲୋକେ।

ଗୋଟିଏ ମହାମାରୀ ବିଶ୍ୱରୁ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଏହା ଆଉ ଏକ ମହାମାରୀର ସଙ୍କେତ ନୁହେଁ ତ ? ତାଞ୍ଜାନିଆ ଚୁନ୍ୟା ଜିଲ୍ଲାର ଜଣେ ଚିକିତ୍ସକ ଫେଲିସ୍ତା କିସାନ୍ଦୁ ଏହି ଅଜଣା ରୋଗ ସମ୍ପର୍କରେ ପ୍ରଥମ ଖୁଲାସା କରିଛନ୍ତି। ଏବଂ ବେଳହୁଁ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଲୋକଙ୍କୁ ମିଛରେ ଛାନିଆ କରୁଥିବା ଅଭିଯୋଗରେ ଫେଲିସ୍ତାଙ୍କୁ ନିଲମ୍ବିତ କରିଛନ୍ତି ସରକାର। ସେହିପରି ନିଲମ୍ବନ ପରେ ସଂପୃକ୍ତ ଚିକିତ୍ସକ କହିଛନ୍ତି, ସଂକ୍ରମଣ ପରେ ତାଙ୍କ ପାଖକୁ ଯାଞ୍ଚ ପାଇଁ କିଛି ରକ୍ତ ନମୂନା ଆସିଥିଲା। ଆଉ ସେହି ରିପୋର୍ଟ ଆଧାରରେ ହିଁ ଅଜଣା ରୋଗର ଭୟାବହତା ସେ ସମ୍ପର୍କରେ ଖୁଲାସା କରିଛନ୍ତି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅଜଣା ରୋଗରେ ଲୋକଙ୍କୁ ପ୍ରଥମେ ଜ୍ୱର, ବାନ୍ତି, ପେଟ କାଟିବା ଆଦି ସମସ୍ୟା ହେଉଛି। ଆଉ ଏହାକୁ ନେଇ ସରକାର ଏବ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସହାୟତାରେ ରକ୍ତ ଓ ପାଣିର ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସର୍ବସମ୍ମୁଖରେ ପ୍ରକାଶ ନକଲେ ମଧ୍ୟ ଚିନ୍ତାରେ ଅଛି ସରକାର। ସେପଟେ ଗୁଜବ ପ୍ରତି ଧ୍ୟାନ ନଦେବାକୁ ମଧ୍ୟ ଲୋକଙ୍କୁ ଅପିଲ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଦେଶର ମେଡ଼ିକାଲ କାଉନସିଲକୁ ପୁରା ମାମଲାର ଯାଂଚ କରବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ତାଞ୍ଜାନିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପରି କୌଣସି ମହାମାରୀ କିମ୍ବା ସଂକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରିଦେଇଛି। ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରିଥିବା କାରଣରୁ  କିସାନ୍ଦୁଙ୍କୁ ନିଲମ୍ବିତ କରାଯାଇଥିବା କଥା ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ସ୍ଥାନୀୟ ମିଡ଼ିଆକୁ କିସାନ୍ଦୁ କହିଛନ୍ତି, ଏହି ରହସ୍ୟମୟ ରୋଗରେ ପୀଡ଼ିତ ରୋଗୀ ମଧ୍ୟରେ ଅଧିକାଂଶ ପୁରୁଷ ଅଛନ୍ତି। ପେଟ, ଓ ଅଲସର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଶୀଘ୍ର ଏହି ରୋଗର ଶିକାର ହେଉଛନ୍ତି। ଅଜଣା ରୋଗ ସଂକ୍ରାମକ ହେବ ପୂର୍ବରୁ ସଚେତନ ହେବା ସହ ଅଧିକ ସିଗାରେଟ ଓ ମଦ୍ୟପାନ ନକରିବାକୁ ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ତାଞ୍ଜାନିଆରେ ୨୦୧୮ରେ ମଧ୍ୟ ଏପରି ଏକ ସଂକ୍ରମଣ ଦେଖାଦେଇଥିଲା, ଯେଉଁଥିରେ ଲୋକଙ୍କୁ ଜ୍ୱର, ବାନ୍ତି ଓ ପେଟ ସମସ୍ୟା ଦେଖିବାକୁ ମିଳିଥିଲା।

You might also like