ରକ୍ତର ହୋଲି ଖେଳୁଛି ସୁରକ୍ଷା ବାହିନୀ, ଗୋଟିଏ ଦିନରେ ୮୨ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା…

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଥମିବାର ନାଁ ଧରୁନି । ଏବେ ବି ଚାଲିଛି ରକ୍ତର ହୋଲି। ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଛି ଜୋରଦାର ଯୁଦ୍ଧ। ଶନିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି ହତ୍ୟା କରିଛି। ଏକ ଘରୋଇ ସଂସ୍ଥା ଆସିଷ୍ଟାନ୍ସ ଆସୋସିଏସନ ଫର ପଲିଟିକାଲ ପ୍ରିଜନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ଏହି ସଂସ୍ଥା ପ୍ରତ୍ୟେକ ଦିନ ଏଭଳି ବିକ୍ଷୋଭକାରୀଙ୍କ ମୃତ୍ୟୁ ସଂଖ୍ୟା ଆକଳନ କରିଥାଏ। ଫେବୃଆରୀ ପହିଲାରେ ଅଙ୍ଗ ସାଙ୍ଗ ସୁ କିଙ୍କ ସରକାରକୁ ସତ୍ତାରୁ ହଟାଇବା ପରେ ସେନା ବିରୋଧରେ ସାଧାରଣ ଲୋକଙ୍କ ବିକ୍ଷୋଭ ଉପରେ ଏହି ସଂସ୍ଥା ନଜର ରଖିଛି।

ମିଆଁମାରର ଅନଲାଇନ୍ ନ୍ୟୁଜ୍ ସାଇଟ୍ ମିଆଁମାର ନାଓ ମଧ୍ୟ ସ୍ପଷ୍ଟ କରିଛି ଯେ ସୁରକ୍ଷାବଳ ଦ୍ୱାରା ୮୨ ଜଣଙ୍କର ମୃତ୍ୟୁ ହୋଇଛି। କାହାର ନାଁ ପ୍ରକାଶ ନକରି, ଉକ୍ତ ଖବରଦାତା ସଂସ୍ଥା ଏହି ସୂଚନା ଦେଇଛି। ଅନ୍ୟାନ୍ୟ ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ୮୨ ଜଣ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଛି। ଆସିଷ୍ଟାନ୍ସ ଆସୋସିଏସନ ଫର ପଲିଟିକାଲ ପ୍ରିଜନର୍ସ ଅନୁଯାୟୀ ମିଆଁମାରର ବିଭିନ୍ନ ଅଞ୍ଚଳରେ ଏବେ ସୁଦ୍ଧା ୭୦୧ ଜଣ ବିକ୍ଷୋଭକାରୀଙ୍କ ହତ୍ୟା କରାଯାଇଛି।

କୁହାଯାଉଛି ଯେ ସୁରକ୍ଷାବଳ ରକେଟ୍, ଗ୍ରେନେଡ୍ ଏବଂ ମୋର୍ଟାର ବ୍ୟବହାର କରୁଛନ୍ତି। ଯଦିଓ ଆସୋସିଏଟ୍ ପ୍ରେସ ପକ୍ଷରୁ ଏହାର ପୁଷ୍ଟି କରାଯାଇ ନାହିଁ। କିନ୍ତୁ ସୋସିଆଲ ମିଡିଆରେ ମୋର୍ଟାର ସେଲ ଖଣ୍ଡଗୁଡ଼ିକର ଫଟୋ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ ଅଧିକାଂଶ ପ୍ରଦର୍ଶନ ଅହିଂସା ପ୍ରଦର୍ଶନକାରୀଙ୍କ ଦ୍ୱାରା କରାଯାଉଛି। ଏମାନେ ନିଜକୁ ସିଭିଲ ଡିସଓବିଡିଏଣ୍ଟ ମୁଭମେଣ୍ଟର ଏକ ଅଂଶ ଭାବରେ ବିବେଚନା କରନ୍ତି। ପୋଲିସ ଏବଂ ସେନା ଦ୍ୱାରା ହିଂସାତ୍ମକ ବଳ ପ୍ରୟୋଗ ହେବା ପରଠାରୁ ଅନେକ ପ୍ରଦର୍ଶନକାରୀ ଅସ୍ତ୍ରଶସ୍ତ୍ର ଉଠାଇବା ଆରମ୍ଭ କରିଛନ୍ତି। ଆତ୍ମରକ୍ଷା ନାଁରେ ଏହି ଲୋକମାନେ ହାତ ତିଆରେ ବୋମା ମଧ୍ୟ ବ୍ୟବହାର କରୁଛନ୍ତି।

ନବେ ଦଶକରୁ ଜେଲରେ ଥିବା ଅଙ୍ଗ ସାନ ସୁ କିଙ୍କ ପାର୍ଟି ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସି (NLD) ୨୦୨୦ ରେ ଜାତୀୟ ନିର୍ବାଚନରେ ବିଜୟ ହୋଇଥିଲା। ତେବେ ଏହି ନିର୍ବାଚନରେ ଅନିୟମିତତା ହୋଇଥିବା କହି ସେନା ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା। କିନ୍ତୁ ମିଆମାଁର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେନାର ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଯାଇଛି। ସେନା ସଂସଦରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଥିବା ବେଳେ ଅଙ୍ଗ ସାନ ସୁ କି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସମ୍ବିଧାନରେ ସଂସ୍କାର ଆଣିବେ। ଏହାସହ ମିଆଁମାରରେ  ଏକ ସୁନ୍ଦର ଲୋକତନ୍ତ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। କିନ୍ତୁ ସେନା ଏହାକୁ ବିରୋଧ କରୁଛି। ଏହି କାରଣରୁ ୧ ଫେବୃଆରୀ ୨୦୨୧ରେ ମିଆଁମାରରେ ସତ୍ତା ପରିବର୍ତ୍ତନ ହୋଇଗଲା। ଏହାପରେ ଲୋକତନ୍ତ୍ରକୁ ସମର୍ଥକ କରୁଥିବା ଲୋକ ବିରୋଧ କରିଆସୁଛନ୍ତି। ସେମାନଙ୍କ ଆନ୍ଦୋଳନକୁ ଚାପିବା ପାଇଁ ସେନା ପକ୍ଷରୁ ବଳ ପ୍ରୟୋଗ କରାଯାଉଛି।

You might also like