ପାକିସ୍ତାନ ଓ ବାଂଲାଦେଶୀ ମୁସଲିମ୍‌ଙ୍କୁ ଦେଶରୁ ବାହାର କରିଦେବା ଦରକାର : ଶିବସେନା

ମୁମ୍ବାଇ: ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିବା ଶିବସେନା ବିଜେପି ସହିତ ସମ୍ୟକ ସ୍ୱର ମିଳାଇଛି। ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନଙ୍କୁ ଦେଶରୁ ବାହାର କରିଦେବା ଦରକାର ବୋଲି ଶିବସେନା କହିଛି।

ଶନିବାର ଶିବସେନାର ମୁଖପାତ୍ର ଭଳି କାର୍ଯ୍ୟ କରୁଥିବା ଖବରକାଗଜ ‘ସାମ୍ନା’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏଥିସହିତ ସିଏଏରେ ତ୍ରୁଟି ରହିଛି, ଯାହାକୁ ସଂଶୋଧନ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହଯାଇଛି।

‘ସାମ୍ନା’ ଖବର କାଗଜରେ ଶିବସେନା କହିଛି, “ ପାକିସ୍ତାନ ଓ ବାଂଲାଦେଶରୁ ଆସୁଥିବା ମୁସଲମାନଙ୍କୁ ଏ ଦେଶରୁ ବାହାର କରିଦେବା ଉଚିତ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ଏପରି କରିବା ପାଇଁ ନିଜ ଦଳର ପତାକା ରଙ୍ଗ ବଦଳାଉଛନ୍ତି, ତାହା ଖୁବ୍‌ ମଜାଦାର୍‌। ଶିବସେନା କେବେ ବି ତା ପତାକାର ରଙ୍ଗ ବଦଳାଇ ନାହିଁ। ଏହା ସବୁବେଳେ କେଶରୀ ରହିବ। ଶିବସେନା ସବୁବେଳେ ହିନ୍ଦୁତ୍ୱ ପାଇଁ ଲଢ଼ି ଆସିଛି ବୋଲି କହିଛି ଦଳ। ସିଏଏକୁ ଦଳ କହିଛି, ଏଥିରେ ଅନେକ ତ୍ରୁଟି ରହିଛି, ଯାହାର ସଂଶୋଧନ ହେବା ନିହାତି ଆବଶ୍ୟକ।” ‘ସାମ୍ନା’ ଖବର କାଗଜର ସମ୍ପାଦକୀୟରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି।

ତେବେ ପତାକାର ରଙ୍ଗ ପରିବର୍ତ୍ତନ କଥାରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ଟାର୍ଗେଟ୍ କରିଥିଲା ଶିବସେନା। କାରଣ ନିକଟରେ ରାଜ୍ ଠାକରେ ତାଙ୍କ ଦଳ ପତାକାର ରଙ୍ଗ ପରିବର୍ତ୍ତନ କରି କେଶରୀ କରିଥିଲେ।

ବିଜେପି ସହିତ ଏମ୍‌ଏନ୍‌ଏସ୍‌ର ନିବିଡ଼ତାକୁ ଟାର୍ଗେଟ୍ କରି ଶିବସେନା କହିଛି, ବିଜେପି ସହିତ ମିଶି ଭୋଟ୍‌ ପାଇଁ ରାଜ୍‌ଠାକରେଙ୍କ ଦଳ ହିନ୍ଦୁତ୍ୱକୁ ପ୍ରଧାନ୍ୟ ଦେଉଛି। କେବଳ ଭୋଟ୍ ପାଇଁ ରାଜ୍ ଠାକ୍‌ରେ ତାଙ୍କ ପତାକାର ରଙ୍ଗ ପରିବର୍ତ୍ତନ କରିଥିବା ଅଭିଯୋଗ କରିଛି ଶିବସେନା। ଏପରି କରି ବିଜେପି ମଧ୍ୟ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛି ବୋଲି ଟାର୍ଗେଟ୍‌ କରିଛି ଦଳ। 

ପୁଣି ସିଏଏକୁ ନେଇ ଶିବସେନା କହିଛି, ସିଏଏ କେବଳ ମୁସଲମାନଙ୍କୁ ସମସ୍ୟାର ପକାଇବ ନାହିଁ, ଏଥିରେ ୩୦-୪୦% ହିନ୍ଦୁ ମଧ୍ୟ ପ୍ରଭାବିତ ହେବେ। ଏହି ଆଇନ୍‌ରେ ଜଣେ ସେନା ଓ ପୂର୍ବ ରାଷ୍ଟ୍ରପତିଙ୍କ ପରିବାର ସ୍ଥାନ ପାଇ ପାରି ନାହାନ୍ତି। ଏମାନଙ୍କୁ ବାହାର ଲୋକ ବୋଲି ଦର୍ଶାଯାଇଛି ବୋଲି ଶିବସେନା ସାମ୍ନା ସମ୍ପାଦକୀୟରେ ଉଲ୍ଲେଖ କରିଛି।

ତେବେ କେନ୍ଦ୍ର ସରକାରଙ୍କର ସିଏଏ ଓ ଏନ୍‌ଆର୍‌ସି ଆଇନ୍‌ ସମର୍ଥନରେ ରାଜଠାକରେଙ୍କ ଦଳ ଫେବ୍ରୁଆରୀ ୯ରେ ଏକ ବିଶାଳ ରାଲିର ଆୟୋଜନ କରୁଛି। ଯେଉଁମାନେ ଏହି ଆଇନ୍‌କୁ ବିରୋଧ କରୁଛନ୍ତି ସେହିମାନଙ୍କୁ ବିରୋଧ କରି ମୁମ୍ବାଇରେ ଏହି ବିଶାଳ ରାଲିର ଆୟୋଜନ କରାଯିବ ବୋଲି ରାଜ ଠାକରେ ସୂଚନା ଦେଇଛନ୍ତି।

ଗତ ବର୍ଷ ଡିସେମ୍ବର ମାସରେ ରାଜ୍ ଠାକ୍‌ରେ କିନ୍ତୁ ଓଲଟା ବୟାନ ଦେଇଥିଲେ। ପାକିସ୍ତାନ ଓ ବାଂଲାଦେଶୀ ମୁସଲମାନଙ୍କୁ ଦେଶରୁ ବାହାର କରିଦେବା ଏହା ସେମାନଙ୍କ ସମ୍ପ୍ରଦାୟ ପାଇଁ ଅପମାନ ସୂଚକ ବୋଲି କହିଥିଲେ ରାଜ୍ ଠାକରେ। ଏଥିସହିତ ଭାରତ ଧର୍ମଶାଳା ନୁହେଁ କି ମାନବିକାତାର ଠିକା ନେଇ ନାହିଁ। ଏହି ଆଇନ୍‌ ଦ୍ୱାରା ଭାରତ ଉପରେ ବୋଝ ବଢ଼ିଯିବ ବୋଲି ପୁଣେରେ ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ ରାଜ୍।

You might also like