ଭାଇଚାରାର ଅନନ୍ୟ ଉଦାହରଣ : ମୁସଲମାନ ଭାଇଙ୍କ କାନ୍ଧରେ ମଶାଣୀ ଗଲା ହିନ୍ଦୁ ଭଉଣୀ

ଆସିଲେନି ପ୍ରିୟଜନ

ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ ଏପରି ସମୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଲେ ମୁସଲିମ ସମାଜର ଲୋକେ । ମିରଟ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ସଂକ୍ରମଣ ସନ୍ଦେହରେ ଛୁଇଁଲେନି ଆତ୍ମୀୟ ସ୍ୱଜନ, ହିନ୍ଦୁ ଭଉଣୀର ଅନ୍ତିମ ଯାତ୍ରାରେ ସାମିଲ ହେଲେ ମୁସଲିମ୍ ଭାଇ ।

ମିରଟର ହାପୁର ରୋଡ ରାମନଗରର ବାସିନ୍ଦା ସୁଷମା ଅଗ୍ରୱାଲ, ଅନେକ ଦିନ ଧରି ଜ୍ୱରରେ ପୀଡିତ ଥିଲେ । ସାରା ସହରରେ ବେଡ ଅଭାବ ଥିଲା ବେଳେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କ ଦେହାନ୍ତ ପରେ ପ୍ରିୟଜନଙ୍କୁ ଡାକିଥିଲେ ପରିବାର ଲୋକେ । ହେଲେ ଏପରି ସମୟରେ ସାହାଯ୍ୟ କରିବା ଦୂରର କଥା ମୁହଁରେ କବାଟ କିଳିଦେଲେ ନିଜ ଲୋକ ବୋଲାଉଥିବା ଲୋକ ଗୁଡ଼ାକ । ଶେଷରେ ହିନ୍ଦୁ ଭଉଣୀର  ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଥିଲେ  ମୁସଲମାନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ । ପରିବାରର ଦୁଇ ଜଣଙ୍କ ସହ ମିଶି ସୁରଜକୁଣ୍ଡରେ ସମସ୍ତ ରୀତିନୀତି ଶହ ହିନ୍ଦୁ ଭଉଣୀର ଅନ୍ତିମ ସଂସ୍କାର କରିଛନ୍ତି । 

ତେବେ ହିନ୍ଦୁ ଭଉଣୀର ଶେଷଯାତ୍ରାରେ ପରଭେଜଙ୍କ, ଶକିଲ, ଅହମ୍ମଦ ଅନସାରୀ, ଟାସଲିମ୍, ଜାଭେଦ୍ ସିଦ୍ଦିକି ଉପସ୍ଥିତ ଥିଲେ। ତେବେ ଏନେଇ ପଡୋଶୀ ପରଭେଜ କହିଛନ୍ତି, ଆମେ ସମସ୍ତେ ପଡୋଶୀ । ବହୁ ବର୍ଷ ଧରି ତାଙ୍କ ପରିବାର ସହିତ ଭଲ ସମ୍ପର୍କ ରହିଛି । ଆମେ ପରସ୍ପରର ସୁଖ ଏବଂ ଦୁଃଖର ସମ୍ପୂର୍ଣ୍ଣ ସହଯୋଗ କରିଆସୁଛୁ । ଆଜି ସଙ୍କଟ ଆସିଲା ବୋଲି ଛାଡ଼ିଦେବୁ ନାହିଁ । ପଡ଼ୋଶୀମାନେ ହିଁ ଏହି ସମୟରେ ସାହାଯ୍ୟ କରିବା ସହ ମନୋବଳ ବଢ଼ାଇ ପାରିବେ ।

ସେହିପରି ଜବାହାରନଗର ନିବାସୀ ଜଣେ ଯୁବକଙ୍କ ମାଆ ଅସୁସ୍ଥତା କାରଣରୁ ପ୍ରାଣ ହରାଇଛନ୍ତି । ମାର ମୃତ୍ୟୁ ପରେ କାନ୍ଧ ଦେବାକୁ ସମ୍ପର୍କୀୟ ଓ ସାହିଭାଇଙ୍କୁ ଡାକିଥିଲେ ଯୁବକ ଜଣକ । ହେଲେ ସଂକ୍ରମଣ ଭୟରେ କେହି ପାଖ ମାଡ଼ିଲେନି ।  ଶେଷରେ ମା’ର ଅନ୍ତିମ ସଂସ୍କାର ପାଇଁ ୫୦୦ ଟଙ୍କା ଦେଇ ଶ୍ରମିକ ଦୁଇ ଜଣ ଡାକିବାକୁ ପଡ଼ିଥିଲା । ଏବଂ ଶ୍ରମିକ ଆସିବା ପରେ ହିଁ  ଯୁବକଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହୋଇପାରିଛି ।

You might also like