ମୁସ୍ଲିମ୍ ଦେଶ କିନ୍ତୁ ଅଧିକାଂଶ ଲୋକ ଏଠି ରାମଭକ୍ତ
ନୂଆଦିଲ୍ଲୀ: ପୃଥିବୀରେ ଏମିତି ଏକ ମୁସଲିମ ରାଜ୍ୟ ରହିଛି ଯେଉଁଠି ରାଜ୍ୟର ଅଧିକାଂଶ ଲୋକ ରାମ ଭକ୍ତ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ। ଦକ୍ଷିଣ ଏସିଆରେ ଅବସ୍ଥିତି ଇଣ୍ଡୋନେସିଆର ଲୋକ ସଂଖ୍ୟା ପ୍ରାୟ ୨୩ କୋଟି । ଏହା ପୃଥିବୀର ୪ର୍ଥ ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶ। ଏଥସହିତ ପୃଥିବୀର ସବୁଠାରୁ ବଡ ମୁସ୍ଲମାନ ବହୁଳ ଦେଶ। ଏହି ଦେଶରେ ହିନ୍ଦୁ ଧର୍ମଗ୍ରସ୍ଥ ରାମାୟଣ ଅତି ଲୋକପ୍ରିୟ।
୧୯୭୩ରେ ଏଠିକାର ସରକାର ଅନ୍ତରାଷ୍ଟ୍ରୀୟ ରାମାୟଣ ସମ୍ମେଳନର ଆୟୋଜନ କରିଥିଲେ। ଏହା ପ୍ରକୃତରେ ଏକ ନିଆରା ଆୟୋଜନ ଥିଲା। କାରଣ ମୁସଲମାନ ଘୋଷିତ ଦେଶ ଭାବେ ଇଣ୍ଡୋନେସିଆ ପ୍ରଥମ ଥର ପାଇଁ ଅନ୍ୟ ଧର୍ମର ଧର୍ମଗ୍ରନ୍ଥକୁ ସମ୍ମାନ ଦେଇ ଏପରି ଏକ ଆୟୋଜନ କରିଥିଲା। ଆଜି ବି ଇଣ୍ଡୋନେସିଆବାସୀଙ୍କ ଉପରେ ରାମାୟଣର ପ୍ରଭାବ ଗଭୀର ଭାବେ ରହିଛି । ଏଠାରେ ଏପରି ସ୍ଥାନ ରହିଛି ଯେଉଁଠି ପଥର ଉପରେ ରାମୟଣ କଥା ଖୋଦେଇ ହୋଇଥିବା ଦେଖିବାକୁ ମିଳିଥାଏ।
ଅବଶ୍ୟ ଭାରତ-ଇଣ୍ଡୋନେସିଆ ରାମାୟରେ କିଛିଟା ପାର୍ଥକ୍ୟ ଦେଖିବାକୁ ମିଳିଥାଏ । ଭାରତରେ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ବୋଲି ବର୍ଣ୍ଣନା କରାଯାଇଥିବାବେଳେ ଇଣ୍ଡୋନେସିଆରେ ଏହାକୁ ଯୋଗ୍ୟା ବୋଲି କୁହାଯାଏ। ଏଠାରେ ରାମକଥାକୁ କକନିନ୍ ବା କାକାଭିନ ରାମାୟଣ କୁହାଯାଏ। ଭାରତରେ ରାମାୟଣ ରଚୟିତା ଆଦି କବି ଋଷି ବାଲ୍ମୀକି ବୋଲି କୁହାଯାଏ। ହେଲେ ଇଣ୍ଡୋନେସିଆରେ କବି ଯୋଗେଶ୍ୱର ବୋଲି କୁହାଯାଏ।
ଇଣ୍ଡୋନେସିଆର ରାମାୟଣ ୨୬ ଅଧ୍ୟାୟ ବିଶିଷ୍ଟ ଏକ ବିଶାଳ ଗ୍ରନ୍ଥ। ଏହି ଗ୍ରନ୍ଥରେ ରାଜା ଦଶରଥଙ୍କୁ ବିଶ୍ୱରଞ୍ଜନ ବୋଲି କୁହାଯାଇଛି। ଏଥିରେ ତାଙ୍କ ଶିବ ଉପାସକ ବୋଲି ଗ୍ରହଣ କରାଯାଇଛି। ଇଣ୍ଡୋନେସିଆ ରାମାୟଣର ଆରମ୍ଭ ରାମଙ୍କ ଜନ୍ମରୁ ହୋଇଛି।
ଇଣ୍ଡୋନେସିଆ ରାମାୟଣରେ ନୌସେନା ଅଧ୍ୟକ୍ଷଙ୍କୁ ଲକ୍ଷ୍ମଣ କୁହାଯାଏ। ଏଠାରେ ସୀତାଙ୍କୁ ସିନ୍ତା କୁହାଯାଏ। ଇଣ୍ଡୋନେସିଆରେ ରାମାୟଣର ସବୁଠାରୁ ଲୋକପ୍ରିୟ ଚରିତ୍ର ହେଲେ ହନୁମାନ। ଇଣ୍ଡୋନେସିଆର ସ୍ୱତନ୍ତ୍ରତା ଦିବସ ଅର୍ଥାତ୍ ଡିସେମ୍ବର ୨୭ ତାରିଖ ରାଜଧାନୀ ଜାକର୍ତ୍ତର ସଡକ ଉପରେ ଏଠିକାର ଯୁବଗୋଷ୍ଠୀ ହନୁମାନ ବେଶ ଧାରଣ କରି ପରେଡ କରିଥାନ୍ତି। ହନୁମାନଙ୍କୁ ଏଠାରେ ଅନୋମାନ କୁହାଯାଏ।
ଗତବର୍ଷ ଇଣ୍ଡୋନେସିଆ ସରକାର ଭାରତର କେତେକ ସ୍ଥାନରେ ଇଣ୍ଡୋନେସିଆ ରାମାୟଣ ଉପରେ ଆଧାରିତ ରାମଲୀଳା ପ୍ରଦର୍ଶନ ପାଇଁ ଅନୁରୋଧ କରିଥିଲେ। ଇଣ୍ଡୋନେସିଆର ଶିକ୍ଷା ଏବଂ ସଂସ୍କୃତି ମନ୍ତ୍ରୀ ଅନିସ ବାସ୍ୱେଦନ ଭାରତ ଆସିଥିଲେ ଏବଂ ସେମାନେ ଭାରତୀୟ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ସାକ୍ଷାତ କରିଥିଲେ। ବର୍ଷର ଅତି କମ୍ରେ ୨ ଥର ଇଣ୍ଡୋନେସିଆ ପ୍ରଚଳିତ ରାମାୟଣ ଭାରତରେ ମଞ୍ଚସ୍ଥ କରାଇବା ପାଇଁ ସେମାନେ ଅନୁରୋଧ କରିଥିଲେ।