ସଫେଇ କାମ ତଦାରଖ ନେଇ ମେନ୍‌ହୋଲ୍‌ରେ ପଶିଲେ ମହିଳା ଅଧିକାରୀ

ମୁମ୍ବାଇ : ମୁମ୍ବାଇର ଥାନେ ଜିଲ୍ଲାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ମହିଳା ଅଧିକାରୀ ତାଙ୍କ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଥିବା ଦେଖାଯାଏ। ଦେଖାଯାଏ ଯେ ଶାଢୀ ପିନ୍ଧିଥିବା ଜଣେ ମହିଳା ସଫେଇ ନିରୀକ୍ଷକ ଡ୍ରେନର ସ୍ୱଚ୍ଛତା ଯାଞ୍ଚକରିବା ପାଇଁ ନିଜେ ମେନହୋଲକୁ ଓହ୍ଲାଇଛନ୍ତି। ସୂଚନା ଥାଉକି ମୌସୁମୀକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡ୍ରେନ୍ ସଫେଇ କାମ ଚାଲିଛି।

ଏହି ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମହିଲା ନିରୀକ୍ଷକ ସୁଭିଧା ଚହ୍ୱାନ୍ ନିଜେ କାର୍ଯ୍ୟର ତଦାରଖ କରିବା ନେଇ ଡ୍ରେନର ମେନ୍‌ହୋଲରେ ପ୍ରବେଶ କରିଥିଲେ। ମୌସୁମୀକୁ ଦୃଷ୍ଟିରେ ରଖି ସ୍ୱରେଜ୍ ସଫେଇ କାମ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି। କାର୍ଯ୍ୟରେ ଯେପରି କୌଣସି ଖଇଚା ନ ହୁଏ ଏଥିପାଇଁ ସେ ନିଜେ ଯାଞ୍ଚ କରୁଥିବା ଜଣାଯାଏ।

ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ କାମକୁ ସବୁଆଡେ ପ୍ରଶଂସା କରାଯାଉଛି। ଲୋକମାନେ କହୁଛନ୍ତି ଯେ ଯଦି ଏହିପରି ଅଧିକାରୀମାନେ ମ୍ୟୁନିସିପାଲିଟି କର୍ପୋରେସନ୍‌ରେ ଆସନ୍ତି, ତେବେ ଏଭଳି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିପାରିବ। ସୁଭିଧା ଚହ୍ୱାନ୍ କହିଛନ୍ତି ଯେ ମୌସୁମୀ ପୂର୍ବରୁ ମେନ୍‌ହୋଲ ଯାଞ୍ଚ କରିବ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ତେବେ ଏହା ତାଙ୍କର ପ୍ରଥମ ସୁଯୋଗ ଯେ ସେ ମେନହୋଲରେ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି।

ଏହା ବ୍ୟତୀତ ସେ କହିଛନ୍ତି ଯେ ମେନ୍‌ହୋଲ୍‌ ସଫା କରିବାର ସମସ୍ତ କାର୍ଯ୍ୟ ଏକ ଘରୋଇ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି। ସେମାନଙ୍କୁ ଯାଞ୍ଚ କରିବାକୁ ଥିଲା ଯେ କାମ ଠିକ୍ ଭାବରେ ହେଉଛି ନା ନାଇଁ। ଯଦି କୌଣସି ଅଭାବ ଥାଏ ତେବେ ଏହାକୁ ଠିକ୍ ସମୟରେ ସଂଶୋଧନ କରାଯିବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷା ଋତୁରେ ଲୋକମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଧ୍ୟାନ ଦିଆଯାଉଛି।

ରବିବାର ଭିବଂଡୀ-ନିଜାମପୁର ମ୍ୟୁନିସିପାଲ କର୍ପୋରେସନର ଏହି ମହିଳା ଅଧିକାରୀମାନେ ସିଢିରେ ମେନ୍‌ହୋଲ୍‌କୁ ଓହ୍ଲାଇଥିଲେ ଏବଂ କିଛି ସମୟ ପରେ ବାହାରକୁ ଆସୁଥିବାର ନଜରକୁ ଆସିଛନ୍ତି। ଏହି ସମୟରେ ସେ ଏକ ଶାଢୀ ପିନ୍ଧିଛନ୍ତି। ସେ କହିଛନ୍ତି ଯେ ଏହା ଭିତରକୁ ଯିବାବେଳେ ସେ ଆଦୌ ଭୟ କରୁ ନ ଥିଲେ। ତାଙ୍କ ମତରେ, କାର୍ଯ୍ୟ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରକାଶ ଥାଉକି ଭିବଂଡୀ ସହରର ବିଭିନ୍ନ ଡ୍ରେନ୍‌ର ନିରୀକ୍ଷଣ କରାଯାଇ ସଫେଇ କାମ ହୁଏ। କିନ୍ତୁ ପ୍ରତିବର୍ଷ ମୌସୁମୀ ସମୟରେ ଡ୍ରେନ୍ ଅବରୋଧ ଏବଂ ଜଳ ନିଷ୍କାସନ ନହେବା କାରଣରୁ ବନ୍ୟା ପରିସ୍ଥିତି ଦେଖାଦେଇଥାଏ।

You might also like