ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ମୁଙ୍ଗେର: ବିହାର ମୁଙ୍ଗେରରେ ଦୁର୍ଗାମେଢ ବିସର୍ଜନ ବେଳେ ଗୁଳିକାଣ୍ଡ ଘଟଣାରେ ତଦନ୍ତ ନିର୍ଦ୍ଦେଶ। ମଗଧ ଡିଭିଜନାଲ କମିଶନରଙ୍କୁ ତଦନ୍ତ କରିବା ଲାଗି ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୨ ଜଣ ବରିଷ୍ଠ ଅଧିକାରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅପସାରଣ କରିଛନ୍ତି ସିଇସି।

ଗତ ସୋମବାର ରାତିରେ ଦୁର୍ଗାମେଢ ବିସର୍ଜନ ବେଳେ କୋତୱାଲି ଥାନା ଦୀନଦୟାଲ ଛକରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା। ଶୀଘ୍ର ବିସର୍ଜନ କାମ ସାରିବା ଲାଗି ପୋଲିସ ଲୋକଙ୍କୁ କହିଥିଲା। ଏହାକୁ ନେଇ କିଛି ଯୁବକଙ୍କ ସହ ପୋଲିସର ବଚସା ହୋଇଥିଲା।

ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହାକୁ ନେଇ ପୋଲିସ ଲାଠି ଚାଳନା କରିବା ସହ ଫାୟାରିଂ ବି କରିଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ଗୁଳିକାଣ୍ଡକୁ ନେଇ ଶାସକ NDAକୁ ଟାର୍ଗେଟ କରିଥିଲେ ବିରୋଧୀ। ଏପରିକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜେନେରାଲ ଡାୟର ମଧ୍ୟ କହିଥିଲେ।

ଗୁଳିକାଣ୍ଡ ପ୍ରତିବାଦରେ ଆଜି ମୁଙ୍ଗେରରେ ଘଟିଛି ବ୍ୟାପକ ହିଂସାକାଣ୍ଡ। ସକାଳେ ପୂରବ ସରାୟ ଥାନାରେ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଜନତା। ଏହାସହିତ ଏସ୍‌ପି ଓ ଡିଏମ ଅଫିସରେ ବି ବ୍ୟାପକ ଭଙ୍ଗାରୁଜା କରିଥିଲେ ବିକ୍ଷୋଭକାରୀ।

ଅନେକ ଗାଡିରେ ନିଆଁ ଲଗାଇ ଦେବା ସହ ଥାନା ଉପରେ ଟେକାପଥର ମାଡ଼ କରିଥିଲେ। ତେବେ ରାଜ୍ୟରେ ନିର୍ବାଚନ ଚାଲିିଥିବାରୁ ଜନତାଙ୍କ ଆକ୍ରୋଶ ପ୍ରଶମିତ କରିବାକୁ ନିର୍ବାଚନ କମିଶନ ମଧ୍ୟ ଘଟଣାକୁ ଗୁରତର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

You might also like