ମୁମ୍ବାଇ ତାଜ୍‌ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ  ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା। କେହି ଜଣେ କଲ କରି ତାଜ ହୋଟେଲ ପ୍ରତି ଆତଙ୍କୀ ଭୟ ଥିବା ଧମକ ଦେଇଥିଲେ। ଏହି ଘଟଣା ପରେ ପରେ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ  କଡାକଡି କରି ଦିଆଯାଇଛି।

ତାଜ୍‌ ହୋଟେଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ସାଢେ ୧୨ଟା ସମୟରେ ଏହି କଲ ଆସିଥିଲା। କଲ୍‌ ପାକିସ୍ତାନରୁ ଆସିଥିବା ଜଣାଯାଇଛି। ଫୋନ୍‌ରେ ଏହି ହୋଟେଲକୁ ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଥିଲା।

ଫୋନ କରିଥିବା ବ୍ୟକ୍ତିଜଣକ କହିଥିଲେ, କରାଚୀ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦୁନିଆ ଦେଖିଲା। ଏବେ ଭାରତର ତାଜ ହୋଟେଲ୍‌ରେ ୨୬/୧୧ ପରି ପୁଣି ଏକ ଆକ୍ରମଣ କରାଯିବ।

ପାକିସ୍ତାନରୁ ଏପରି ଧମକ ମିଳିବା ନେଇ ହୋଟେଲ କର୍ମଚାରୀ ମୁମ୍ବାଇ ପୋଲିସକୁ ଅବଗତ କରାଇଛନ୍ତି। ହୋଟେଲର ପ୍ରତ୍ୟେକ ଗେଟ ଉପରେ କଡା ନଜର ରଖାଯାଇଛି।

ସୂଚନାଥାଉ କି, ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ଏଇ ତାଜ୍‌ ହୋଟେଲ  ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା।

ଭାରତ ଇତିହାସରେ ଘଟିଥିବା ଏକ ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣରେ ୨୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ପ୍ରାୟ ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ହୋଟେଲ ଭିତରକୁ ପଶି ଏଭଳି ବର୍ବର କାଣ୍ଡ ଭିଆଇଥିଲେ। ୬୦ ଘଣ୍ଟା ଧରି ଚାଲିଥିଲା ଅପରେଶନ। ଶେଷରେ ଜଣେ ଆତଙ୍କବାଦୀ କସାବକୁ ପୋଲିସ ଜୀବିତ ଧରି ପାରିଥିଲା। କସାବ ପରେ ଅପରାଧ ସ୍ୱୀକାର କରିଥିଲା। ୨୦୧୨ରେ କସାବକୁ ଫାଶି ଦଣ୍ଡ ଦିଆଯାଇଥିଲା।

 

You might also like