ଆଣ୍ଟେଲିଆ ସାମ୍ନାରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣା: ସସ୍‌ପେଣ୍ଡ ହେଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-NIA ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି  ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।

ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ଚୈତନ୍ୟ ଦେଇଥିବା ସୂଚନା ଅନୁଯାୟୀ, ସଚିନ ପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ। ପରେ ତାଙ୍କୁ NIA ତାଙ୍କୁ ଗିରଫ କରି ପଚରା ଉଚରା କରୁଥିଲା।

ସୂଚନାଥାଉ କି, ଫେବ୍ରୁଆରୀ ୨୫ ତାରିଖ  ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହୋଇଥିଲା ? ଏଥିସହିତ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ପୋଲିସ ଜବତ କରିଥିଲା। ସିସିଟିଭ ଫୁଟେଜକୁ ନେଇ ପୋଲିସ ତଦନ୍ତ ଚଳାଇଥିଲା।  ଘଟଣା ଦିନ ସ୍କର୍ପିଓ ଚଲାଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିଥିଲେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହାସହ ସ୍କର୍ପିଓ ପଛରେ ଥିବା ଅନ୍ୟ ଏକ କାର୍ ମୁମ୍ବାଇ ପୋଲିସ୍‌ର ବୋଲି ଜଣାପଡ଼ିଥିଲା ।

ପରେ ସ୍କର୍ପିଓର ମାଲିକଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଏସବୁ ଘଟଣାର ଯାଞ୍ଚ ପରେ ବିସ୍ଫୋରକ କାର୍ ରଖିବା ପଛରେ ସଚିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୁରାକ ପାଇଥିଲା NIA ।  ସଚିନଙ୍କୁ  ୧୨ ଘଣ୍ଟା  ଜେରା କରିବା ପରେ ଶନିବାର ରାତି ସାଢ଼େ ୧୧ଟାରେ ସଚିନ୍‌ ଭାଜେଙ୍କୁ NIA ଗିରଫ କରିଥିଲା। ଏହା ପୂର୍ବରୁ NIA ଭାଜେଙ୍କୁ ସମନ କରିଥିଲା।  ଗିରଫ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ସେ କାହିଁକି ଏପରି କରିଥିଲେ ସେହି କାରଣକୁ ଖୋଜୁଛି ତଦନ୍ତକାରୀ ସଂସ୍ଥା।

ଏଠି କହି ରଖିବୁ, ସଚିନ୍ ୱାଜେ ହେଉଛନ୍ତି ମୁମ୍ବାଇ ପୋଲିସ୍‌ରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ। ୧୨ ବର୍ଷ ଧରି ସସ୍‌ପେଣ୍ଡ ରହିବା ପରେ ଗତବର୍ଷ ସେ ଫୋର୍ସକୁ ଫେରିଥିଲେ। ତେବେ ଏହି ମାମଲାକୁ ନେଇ ସଚିନଙ୍କୁ ସଂପୃକ୍ତି ଆସିବା ପରେ ମୁମ୍ବାଇ ପୋଲିସ୍ ଓ ସରକାରଙ୍କ କଡ଼ା ନିନ୍ଦାର ସମ୍ମୁଖୀନ ହେବାକୁ ପଡ଼ିଛି।

 

You might also like