ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ ହୋଇଛନ୍ତି। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ କିଏ ଆଣିଥିଲା? ପୂର୍ବତନ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ସେ ଦିନ କାର୍ ରଖିଥିଲେ କି ? ସିସିଟିଭିରେ କଏଦ ବ୍ୟକ୍ତି ଜଣକ କିଏ ? ତାକୁ ନେଇ ଏବେ ଜୋରସୋରରେ ତଦନ୍ତ ଚାଲିଛି।

ଜାତୀୟ ତଦନ୍ତକାରୀ ସଂସ୍ଥା-NIA ଏ ଦିଗରେ ତଦନ୍ତ କରୁଛି। ଘଟଣା ଦିନ ସ୍କର୍ପିଓ ଚଲାଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହାସହ ସ୍କର୍ପିଓ ପଛରେ ଥିବା ଅନ୍ୟ ଏକ କାର୍ ମୁମ୍ବାଇ ପୋଲିସ୍‌ର ବୋଲି ଜଣାପଡ଼ିଛି। ତେଣୁ ସଚିନ୍ ୱାଜେ୍ ଏସବୁ ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରି ଏନ୍ଆଇଏ ତାଙ୍କୁ ପଚରାଉଚରା କରୁଛି। ତାସହ ସ୍କର୍ପିଓ ମାଲିକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବି ତଦନ୍ତ କରାଯାଉଛି।

ଦୁଇ ଦିନ ତଳେ ସଚିନ୍ ୱାଜେ୍ଙ୍କୁ ଗିରଫ କରିବା ପରେ ସାମ୍ନାକୁ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ କାର୍ ରଖିବା ପଛରେ ସଚିନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୁରାକ ପାଇଛି ଏନ୍ଆଇଏ। ତେବେ ସେ କାହିଁକି ଏପରି କରିଥିଲେ ସେହି କାରଣକୁ ଖୋଜୁଛି ତଦନ୍ତକାରୀ ସଂସ୍ଥା।

ସଚିନ୍ ୱାଜେ ହେଉଛନ୍ତି ମୁମ୍ବାଇ ପୋଲିସ୍‌ର ଏନକାଉଣ୍ଟର ସ୍ପେଶାଲିଷ୍ଟ। ୧୨ ବର୍ଷ ଧରି ସସପେଣ୍ଡ ରହିବା ପରେ ଗତବର୍ଷ ସେ ଫୋର୍ସକୁ ଫେରିଥିଲେ। ତେବେ ଏହି ମାମଲାକୁ ନେଇ ସଚିନ୍‌ଙ୍କ ସଂପୃକ୍ତି ଆସିବା ପରେ ମୁମ୍ବାଇ ପୋଲିସ୍ ଓ ସରକାରଙ୍କ କଡ଼ା ନିନ୍ଦାର ସମ୍ମୁଖୀନ ହେବାକୁ ପଡ଼ିଛି।

You might also like