ଦେବଦୂତ ଶାହନବାଜ, ଅକ୍ସିଜେନ ସିଲିଣ୍ଡର ଯୋଗାଇବା ପାଇଁ ବିକ୍ରି କରିଦେଲେ ଦାମୀ ଗାଡ଼ି..

ଦେଶରେ ଏବେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ତେଣୁ ସରକାର ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଦେଶରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲରେ ସ୍ଥିତି ଦୟନୀୟ ହେଲାଣି। କରୋନା ରୋଗୀଙ୍କ ପାଇଁ ବେଡ ନଥିବା ବେଳେ ଅନେକ ସ୍ଥାନରେ ସାଧାରଣ ଔଷଧର ଅଭାବ ମଧ୍ୟ ପରିଲିକ୍ଷିତ ହେଉଛି। ଏହାରି ଭିତରେ ଏବେ କରୋନା ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ, ଅକ୍ସିଜେନର ଅଭାବ ମଧ୍ୟ ଦେଖାଯାଇଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତ ଚିନ୍ତା ପ୍ରକଟ କରିଛନ୍ତି।

ଅକ୍ସିଜେନ ଅଭାବ ଯୋଗୁଁ ରୋଗୀଙ୍କ ଜୀବନ ଚାଲିଯାଉଛି। ଦିଲ୍ଲୀ ଓ ମୁମ୍ବାଇରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏଭଳି ସମୟରେ ଏବେ ମୁମ୍ବାଇର ଜଣେ ଯୁବକ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଗରିବ ଲୋକଙ୍କୁ ମାଗଣା ଅକ୍ସିଜେନ ଯୋଗାଉଛନ୍ତି। ସେ ଲୋକଙ୍କୁ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ନିଜେ ଚଢ଼ୁଥିବା ୨୨ ଲକ୍ଷ ଟଙ୍କାର ଦାମୀ ଫର୍ଡ ଏଣ୍ଡୋଭର ଗାଡ଼ି ବିକ୍ରି କରିଦେଇଛନ୍ତି। ଏହି ସେବା ଗତ ବର୍ଷଠାରୁ ସେ ଆରମ୍ଭ କରିଛନ୍ତି। କରୋନାର ପ୍ରଥମ ଲହରୀରେ ଯେତେବେଳେ ତାଙ୍କର ଜଣେ ସମ୍ପର୍କୀୟ ଅକ୍ସିଜେନ ଅଭାବର ପ୍ରାଣ ହରାଇଲେ, ସେତେବେଳେ ତାଙ୍କ ମୁଣ୍ଡରେ ଏହି ଚିନ୍ତା ପଶିଲା। ଆକ୍ସିଜେନ ଅଭାବରୁ କାହାର ଜୀବନ ନ ଯାଉ ଭାବି ସେ ନିଜ ଗାଡ଼ି ବିକି ଯେତିକି ଟଙ୍କା ଆସିଲା ସେଥିରେ ସେ ଅକ୍ସିଜେନ ସିଲିଣ୍ଡର ସମେତ ବିଭିନ୍ନ ଔଷଧ ପତ୍ର ମଧ୍ୟ କିଣିଲେ। ଆଉ ରୋଗୀଙ୍କୁ ଯୋଗାଇଲେ।

ଏହି ଯୁବକ ଜଣକ ହେଉଛନ୍ତି ଶାହନବାଜ ସେଖ୍। ମୁମ୍ବାଇ ମଲବାନି ମଲ୍ଲାଡ଼ର ବାସିନ୍ଦା। ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ତାଙ୍କ ଗାଡ଼ି ଅପେକ୍ଷା ଲୋକଙ୍କ ଜୀବନ ଅଧିକ ମୂଲ୍ୟବାନ। ଗାଡ଼ି ଆଜି ନାହିଁ ଭବିଷ୍ୟତରେ କିଣାଯାଇ ପାରିବ। କିନ୍ତୁ ଜୀବନ ଚାଲିଗଲେ ତାହା ଆଉ ଫେରିବନି। ଗତ ବର୍ଷ ସେ ୫୦୦୦ରୁ ୬୦୦୦ ଅକ୍ସିଜେନ ସିଲିଣ୍ଡର ଯୋଗାଇଛନ୍ତି। ଚଳିତ ବର୍ଷ ସହରରେ ଅକ୍ସିଜେନର ଘୋର ଅଭାବ ରହିଛି। ପୂର୍ବରୁ ଅକ୍ସିଜେନ ସିଲିଣ୍ଡର ପାଇଁ ଦିନକୁ ୫୦ ଫୋନ କଲ ଆସୁଥିବା ବେଳେ ଏବେ ୫୦୦ରୁ ୬୦୦ କଲ ଆସୁଛି। ମୁମ୍ବାଇରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି।

ତେବେ ଶାହନବାଜଙ୍କର ଏଭଳି ସେବା ପାଇଁ ସେ ଏବେ ସେହି ଅଞ୍ଚଳରେ ହିରୋ ପାଲଟି ଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି। ଗରିବ ଲୋକଙ୍କ ପାଇଁ ସତେ ଯେମିତି ସେ ଦେବଦୂତ ସାଜିଛନ୍ତି। ଅନେକ ଅଇଏଫଏସ ଅଫିସର ଶାହନବାଜଙ୍କ ଏଭଳି ସେବା ମନୋବୃତ୍ତି ଦେଖି ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି।

You might also like