ଦେଶରାଜ ଅଟୋ ଡ୍ରାଇଭର: ନାତୁଣୀର ସ୍ୱପ୍ନ ପୂରଣ କରିବା ଲାଗି ବିକ୍ରି କରିଦେଲେ ଘରଦ୍ୱାର

ଚର୍ଚ୍ଚାରେ ଦେଶରାଜ ଅଟୋ ଡ୍ରାଇଭର

  • ଚର୍ଚ୍ଚାରେ ଦେଶରାଜ ଅଟୋ ଡ୍ରାଇଭର
  • ନାତୁଣୀର ସ୍ୱପ୍ନ ପାଇଁ ବିକିଦେଲେ ଘରଦ୍ୱାର
  • ୨ ପୁଅ ଆରପାରିରେ, ଏବେ ପରିବାର ବୋଝ ବି ଉଠାଉଛନ୍ତି
  • ୪ ହଜାର ଟଙ୍କାରେ ଚଳୁଛନ୍ତି ୭ ପ୍ରାଣୀ ପରିବାର

ମୁମ୍ବାଇ: ଇଚ୍ଛାଶକ୍ତି ଆଗରେ ବୟସ ସାଜେନି ବାଧକ। ବୟସର ଅପରାହ୍ଣ ପରେ ବି ପରିବାର ବୋଝ ମୁଣ୍ଡାଇଛନ୍ତି ବୃଦ୍ଧ ଅଟୋ ଚାଳକ। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧ ଅଟୋ ଚାଳକ ନିଜ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧାବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ। ଆଉ ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଜକେଇ ଆସୁଛି।

ଦେଶରାଜ ମୁମ୍ବାଇରେ ଅଟୋ ଚଲାଇ ଥାଆନ୍ତି। ଆଉ ଦେଶରାଜ କହିଛନ୍ତି ଯେ, , ‘ମୋର ବଡ ପୁଅ କାମ ପାଇଁ ଯାଇଥିଲା ଯେ ଆଉ ଘରକୁ ଫେରି ନଥିଲା। କିଛିଦିନ ପରେ ତାର ମୃତଦେହ ମିଳିଥିଲା। ବଡ଼ପୁଅର ମୃତ୍ୟୁ ପରେ ମୋର ଜୀବନର ଗୋଟିଏ ଭାଗ ସେଇଠି ହିଁ ସମାପ୍ତ ହୋଇଗଲା।

ପୁଅ ଯିବା ପରେ ପରିବାର ପୂରା ଦାୟିତ୍ୱ ମୋ ଉପରେ ଥିବାରୁ ଘରେ ବସି ଆଖିରୁ ଲୁହ ଗଡେଇବା ପାଇଁ ମୋ ପାଖରେ ସମୟ ନଥିଲା। ମନରେ କଷ୍ଟକୁ ଜାବୁଡ଼ି ଧରି ଅଟୋ ଚଲାଇବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲି। ଏତିକିରେ ମୋର ଦୁଃଖ ସରି ନଥିଲା । ବଡ଼ ପୁଅର ମୃତ୍ୟୁର ଦୁଇ ବର୍ଷ ପରେ ମୋର ସାନ ପୁଅ ବି ଆତ୍ମହତ୍ୟା କରିଥିଲା। ଦୁଇ ପୁଅଙ୍କୁ ହରାଇବା ପରେ ବୋହୂ ସହିତ ୪ଜଣ ପିଲାଙ୍କ ଭାର ମୋ ଉପ‌ରେ ପଡ଼ିଗଲା। ଗୋଟିଏ ପଟେ ଦୁଃଖର କଳାବାଦଲ ଅନ୍ୟ ପଟେ ବଞ୍ଚିଥିବା ପରିବାର ମୁହଁରେ ଆହର ଦେବା ବି ଦରକାର ଥିଲା। ଆଉ ଏତେ ବୟସରେ କାମ କରିକରି ଶରୀର ଥକି ପଡ଼ୁଥିବା ସ‌ତ୍ତ୍ୱେ ସେମାନଙ୍କ ପେଟକୁ ଦିମୁଠା ଦାନା ଦେବା ପାଇଁ ମୋତେ ଏବେ ଅଟୋ ଚଲାଇବାକୁ ପଡ଼ୁଛି।

ଅର୍ଥ ଅଭାବରୁ ନାତୁଣୀ ନବମ ଶ୍ରେଣୀରେ ପଢ଼ୁଥିବା ବେ‌ଳେ ପାଠପଢ଼ା ଛାଡ଼ି ଦେଇଥିଲା। କିନ୍ତୁ ମୁଁ ତାକୁ ପାଠପଢ଼ା ଜାରି ରଖିବାକୁ କହିଥିଲି। ଯେତେ ଇଚ୍ଛା ସେତେ ପଢ଼ିବାକୁ ଆଶ୍ୱାସନା ଦେଇଥିଲି। କାରଣ ମୁଁ ଜାଣେ ଆଜିକାଲି ଦୁନିଆରେ ଲଢିବାକୁ ହେଲେ ପାଠ ଦୁଇ ଅକ୍ଷର ପଢିବାକୁ ପଡ଼ିବ। ଏ ସବୁ ମଧ୍ୟରେ ପରିବାରର ଗୁଜୁରାଣ ମେଂଟାଇବାକୁ ପଡିବ। ତେଣୁ ସକାଳ ୬ଟାରୁ ଘରୁ ବାହାରିଯାଏ ଫେରିବା ବେଳକୁ ରାତି ପ୍ରାୟ ୯ଟା ବାଜିଯାଏ। ଏତେ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମାସକୁ ମାତ୍ର ୧୦ ହଜାର ଟଙ୍କା ଲାଭ ହୁଏ। ସେହି ଟଙ୍କାରୁ ପାଖାପାଖି ୬ ହଜାରରୁ ଅଧିକ ଟଙ୍କା ନାତୁଣୀର ପାଠ ପଢା ଖର୍ଚ୍ଚରେ ସରିଯାଏ। ଆଉ ବାକି ଯେଉଁ ୪ ହଜାର ଟଙ୍କା ମିଳେ ସେହି ଟଙ୍କାରେ ଆମେ ୭ ଜଣ ଖାଇପିଇ ବଂଚୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନାତୁଣୀ ଦ୍ୱାଦଶ ଶ୍ରେଣୀରେ ୮୦ ପ୍ରତିଶତ ମାର୍କ ରଖିଥିଲା। ଆଉ ରେଜଲ୍ଚ ବାହାରିବା ଦିନ ଖୁସୀରେ ଅଟୋ ଯାତ୍ରୀଙ୍କଠାରୁ ଟଙ୍କାଟିଏ ବି ନେଇ ନଥିଲି। ପରେ ନାତୁଣୀ BED ପାଇଁ ଦିଲ୍ଲୀ ଗଲା, ତେଣୁ ତାର ଉଚ୍ଚ ଶିକ୍ଷା ଲାଗି ମୁଁ ମୋର ଘରକୁ ମଧ୍ୟ ବିକ୍ରି କରିଦେଲି ବୋଲି ଦେଶରାଜ କହିଛନ୍ତି। ଘର ନଥିବା କାରଣରୁ ଏହି ଅଟୋ ହିଁ ମୋ ଘର। ଏଠାରେ ଖାଇବା ପିଇବା ଓ ଶୋଇବା ମୁଁ ସବୁ କରିଥାଏ ବୋଲି ଦେଶରାଜ କହିଛନ୍ତି। ଏହାସହ ବର୍ତ୍ତମାନ ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କୁ ବନ୍ଧୁଙ୍କ ଘରକଉ ପଠାଇ ଦେଇଥିବା ଜଣାପଡିଛି।

ତେବେ ଦେଶରାଜଙ୍କ ସମ୍ପର୍କରେ ଜଣାପଡିବା ପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି। ଆଉ ଏହାରି ମଧ୍ୟରେ କଂଗ୍ରେସର ଅର୍ଚ୍ଚନା ଡାଲମିଆ ବୃଦ୍ଧଙ୍କ ଏହି ସଂଘର୍ଷମୟ କାହାଣୀକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଏବଂ ମିଲିନ୍ଦ ଦେଓଡା ଏହାକୁ ରିଟ୍ୱିଟ କରିଛନ୍ତି। ଡାଲମିଆ ଏହି ଅଟୋ ଡ୍ରାଇଭରଙ୍କ ଫୋନ୍ ନମ୍ବର ସେୟାର କରି ତାଙ୍କୁ ସାହାଯ୍ୟ କରିବାକୁ ମୁମ୍ବାଇବାସୀଙ୍କୁ ଅନୁରୋଧ କରିଛନ୍ତି।

ଦେଶରେ କେବଳ ଦେଶରାଜ ନୁହେଁ ଅନେକ ଲୋକ ଏମିତି ଅବସ୍ଥାରେ ଅଛନ୍ତି ଯେଉଁମାନେ କି ନିଜର ସ୍ୱପ୍ନ ପୂରଣ କରିବା ଲାଗି ଅନେକ ଦୁଃଖ କଷ୍ଟ କରୁଛନ୍ତି। ତେଣୁ ଦେଶରାଜ ବୟସର ଅପରାହ୍ଣରେ ଯେଉଁ କାମ କରୁଛନ୍ତି ତାହାକୁ ଆପଣ ବି ସାଲ୍ୟୁଟ କରିବା ଲାଗି ବାଧ୍ୟ ହେବେ।

You might also like