ଫେସବୁକ୍‌ରେ ଆତ୍ମହତ୍ୟାର LIVE ଷ୍ଟ୍ରିମ କରୁଥିଲେ ଯୁବକ, ଧରିଲା ପୋଲିସ

ମୁମ୍ବାଇ: ଜୀବନ ବଞ୍ଚାଇ ଦେଲା ଫେସବୁକ୍‌। ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଫେସବୁକ୍‌ରେ ଜାଣିପାରିଲେ ଆର୍ୟଲାଣ୍ଡର ଜଣେ ବ୍ୟକ୍ତି। ସେଠାରୁ ଖବର ଆସିଲା ମୁମ୍ବାଇ ପୋଲିସ ପାଖକୁ । ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ଉଦ୍ଧାର କରିଛି ଉକ୍ତ ଯୁବକଙ୍କୁ। ଏହି ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ଯାହା ହେଉ, ଫେସ୍‌ବୁକ୍‌ ଥିଲା ବୋଲି…।’ ପୂରା ଘଟଣା ଥିଲା ଏମିତି।

ଘଟଣା ଥିଲା ଗତ ରବିବାର ରାତିର। ରାତି ପ୍ରାୟ ୮ଟା ୧୦ ମିନିଟ୍‌ ହେବ। ମୁମ୍ବାଇ ସାଇବର ପୋଲିସ ଡିସିପି ରଶ୍ମୀ କରନ୍ଦିକରଙ୍କ  ପାଖକୁ ଏକ କଲ୍‌ ଆସିଲା ଆର୍ୟଲାଣ୍ଡ ଫେସ୍‌ବୁକ୍‌ ମୁଖ୍ୟାଳୟରୁ।  ଜଣେ ୨୩ ବର୍ଷୀୟ ଯୁବକ ଫେସବୁକ୍‌ ଅନଲାଇନ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା ଉଦ୍ୟମ କରୁଥିବା ଖବର ଦେଇଥିଲେ । ଯୁବକ ଜଣକ ରେଜର୍‌ ବ୍ଲେଡ୍‌ରେ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାଇଥିଲେ ।

ଏପରିକି ଏହାର ଫଟୋ ମଧ୍ୟ ସ୍କ୍ରିନସଟ ନେଇ ସେୟାର କରିଥିଲା ଆର୍ୟଲାଣ୍ଡ ଫେସ୍‌ବୁକ୍‌ ମୁଖ୍ୟାଳୟ। ଏହି ଫଟୋରେ ଦେଖିବାକୁ ମିଳିଥିଲା, ପିଲାଟି ଯେତେବେଳେ ରେଜର ବ୍ଲେଡ୍‌ର ବେକକୁ କାଟୁଛି ସେତେବେଳେ ସେ କାନ୍ଦୁଛି। ଆର୍ୟଲାଣ୍ଡ ପୋଲିସଠାରୁ ସୂଚନା ପାଇବା ପରେ ମୁମ୍ବାଇ ସାଇବର ପୋଲିସ ତୁରନ୍ତ ଯୁବକଙ୍କ ଠିକଣାକୁ ଟ୍ରାକ୍‌ କରିଥିଲା।

କଲ ପାଇବାର ମାତ୍ର ୫୦ ମିନିଟ୍‌ରେ ପୋଲିସ ଟିମ୍‌ ଯୁବକଙ୍କ ଘରେ ପହଞ୍ଚିଥିଲେ ଏବଂ ଯୁବକଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ଉକ୍ତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ବିପଦ ମୁକ୍ତ ବୋଲି ଡାକ୍ତର କହିଛନ୍ତି।

ଡିସିପି ରଶ୍ମୀ କରନ୍ଦିକରଙ୍କ କହିବା ଅନୁଯାୟୀ, ମୁମ୍ବାଇଣ ଧୁଲେର ଏକ ବିଲ୍‌ଡିଂରେ ରହୁଥିଲେ ଯୁବକଜଣକ। ତାଙ୍କ ଘର ଠାବ କରିବାକୁ ୨୦ ମିନିଟ ଲାଗିଥିଲା। ଆମେ ତୁରନ୍ତ ସିନିୟର ଅଫିସରଙ୍କୁ ଜଣାଇଥିଲୁ। ପାଖାପାଖି ରାତି ୯ଟା ବେଳକୁ  ପୋଲିସ ତାଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ଅନ୍ୟଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସମୟ ବିରୋଧରେ ଏହା ଏକ ଦୌଡ଼ ଥିଲା। ଆମେ ଦେଖିଲା ବେଳକୁ ଲାଇଭ ଷ୍ଟ୍ରିମ୍‌ରେ ଯୁବକ ଜଣକ ରେଜର ବ୍ଲେଡରେ ତାଙ୍କ ବେକ କାଟିବା ଆରମ୍ଭ କରି ଦେଇଥିଲେ। ତେଣୁ ଯେତେ ଶୀଘ୍ର ସମ୍ଭବ ତାଙ୍କ ପାଖରେ ପହଞ୍ଚିବାର ଥିଲା। ଯାହା ହେଉ, ସେଥିରେ ସଫଳ ହୋଇ ପାରିଲୁଓ ତାଙ୍କୁ ଠିକ୍‌ ସମୟରେ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇ ପାରିଲୁ। ’

ଯାହା ବି ହେଉ, ଫେସ୍‌ବୁକ୍‌ ନ ଥିଲେ ହୁଏତ ତାଙ୍କ ଜୀବନ ବଞ୍ଚାଇବା ଅସମ୍ଭବ ହୋଇ ପଡ଼ିଥାନ୍ତା।

 

 

You might also like