କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ବଡ଼ ସଙ୍କଟ ସମ୍ଭାବନା । ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ ଫେରିବା ପରେ ରାଜନୀତି ଆହୁରି ଜୋର ଧରିଛି । ଖୁବ ଶୀଘ୍ର ଆହୁରି ଅନେକ ବିଜେପି ବିଧାୟକ ଏବଂ ନେତା ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି । ମୁକୁଲ ରୟଙ୍କ ଘରବାହୁଡ଼ା ପରେ ବିଜେପିର ବିଧାୟକ ତଥା ସାଂସଦମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ମଧ୍ୟ ଶୀଘ୍ର ଟିଏମସି ଫେରିପାରନ୍ତି । ମୁକୁଲ ରୟ ବିଜେପିରେ ଥିବାବେଳେ ଏହି ନେତାମାନଙ୍କୁ ଟିଏମସିରୁ ଆଣିଥିଲେ।

ସୂତ୍ର ଅନୁସାରେ ମୁକୁଲ ରୟ ନିଜେ କହିଛନ୍ତି, ଫୋନରେ ସେ ବିଜେପି ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ବହୁ ବିଜେପି ନେତା ଖୁବ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି। ଆଗାମୀ ସମୟରେ ପାଖାପାଖି ୨୫ ଜଣ ବିଧାୟକ ଓ ଦୁଇ ଜଣ ସାଂସଦ ବିଜେପି ଛାଡ଼ିବାର ଅନେକ ସମ୍ଭାବନା ରହିଛି । ତେବେ ଘରବାହୁଡ଼ା ପ୍ରକ୍ରିୟା ଆରମ୍ଭ ପାଇଁ ଦୁଇ ଜଣ ବିଜେପି ବିଧାୟକ ପ୍ରସ୍ତୁତ ଅଛନ୍ତି ।  ବିଜେପି ନେତାଙ୍କ ଘଡ଼ବାହୁଡ଼ା ସମ୍ପର୍କରେ ମୁକୁଲ ରୟଙ୍କ ପୁଅ ଶୁଭ୍ରାଂସୁ ରୟଙ୍କର ମଧ୍ୟ ବଡ଼ ଭୂମିକା ରହିଛି ।

ଏହି ପୂରା ଘଟଣାକ୍ରମ ନେଇ ଶୁଭ୍ରାଂସୁ ରୟ କହିଛନ୍ତି, ଅତି କମରେ ୨୫ ଜଣ ବିଜେପି ବିଧାୟକ ଏବଂ ୨ ସାଂସଦ ଟିଏମସିରେ ଯୋଗ ଦେବେ। ବିଧାନସଭା ନିର୍ବାଚନ ପରେ ବିଜେପି ଯାହା କରିଛି ତାହାର ଉତ୍ତର ଦେବାର ସମୟ ଆସିଛି। ବିଜେପିରେ ଯୋଗଦେବା ପରଠାରୁ ତାଙ୍କ ବାପା ମୁକୁଲ ରୟଙ୍କ ଉପରେ ବହୁତ ଚାପ ପ୍ରୟୋଗ କରାଯାଉଥିଲା । ଅତ୍ୟଧିକ ଚାପ ଯୋଗୁଁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇଗଲା। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ବିଧାନସଭା ନିର୍ବାଚନ ପ୍ରଚାରରେ ଭାଗ ନେଇନଥିଲେ।

ସେପଟେ ବିଜେପିର ୨୫ ବିଧାୟକ ଏବଂ ୨ ସାଂସଦ ଟିଏମସି ଯାଉଥିବା ଖବର ପ୍ରଚାର ପରେ ବିଜେପ ଦଳର ସମସ୍ତ ନେତା ସହ ଯୋଗଯୋଗରେ ରହିଛି । ଦଳୀୟ ନେତା ଯେପରି ଅନ୍ୟ ଦଳକୁ ନଯାଆନ୍ତୁ, ସେନେଇ ଚେଷ୍ଟା ଚଳାଇଛି ଭାରତୀୟ ଜନତା ପାର୍ଟି । ଏହି କାରଣରୁ ସମସ୍ତ ବିଧାୟକ ଏବଂ ନେତାଙ୍କ ଉପରେ ନିରନ୍ତର ନଜର ରଖାଯାଉଛି।

ସୂଚନାଯୋଗ୍ୟ ଜୁନ ୧୧ରେ ବିଜେପି ଛାଡ଼ି ମୁକୁଲ ରୟ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି । କୋଲାକାତା କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ଏକଦା ମମତାଙ୍କ ବେଶ ନିକଟତର ଏବଂ ଟିଏମସିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ମୁକୁଲ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ଉପସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମଙ୍ଗ ଧରିଥିଲେ ମୁକୁଲ। ଲୋକସଭା ନିର୍ବାଚନରେ ବିଜେପିର ସଫଳତା ପାଇଁ ତାଙ୍କୁ ମିଳିଥିଲା ଶ୍ରେୟ। ତେବେ ବିଧାନସଭା ନିର୍ବାଚନରେ ବିଜେପି ଫେଲ ମାରିବା ପରେ ଦୁଇ ବାପ-ପୁଅ ପୁଣି ଥରେ ଦିଦିଙ୍କ ଶିବିରକୁ ଫେରି ଆସିଛନ୍ତି।

Other Stories