ବିବାହ ଉତ୍ସବରେ ସାମିଲ ହେବା ମହଙ୍ଗା ପଡ଼ିଲା, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ ଅତିଥି

ଭିଣ୍ଡ : ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ଏପରି ସଜା ଦେଇଛି ପୋଲିସ୍ । ଲକଡାଉନ ମଧ୍ୟରେ କୋଭିଡ କଟକଣା ଉଲ୍ଲଂଘନ କରି ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ବିବାହରେ ସାମିଲ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ଅତିଥିଙ୍କୁ ବେଙ୍ଗଡିଆଁ ମାରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାସହ ପୋଲିସ ବର ସମେତ ଟେଣ୍ଟ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ କରୋନା କଟକଣାକୁ କଡ଼ାକଡ଼ି କରି ଦିଆଯାଇଛି । ଏପରିକି କିଛି କିଛି ସ୍ଥାନରେ ବିବାହ କାର୍ଯ୍ୟ ଆୟୋଜନ କରିବାକୁ ସଫା ସଫା ମନା ହୋଇଛି, ତଥାପି ସୁଧୁରୁ ନାହାନ୍ତି ଲୋକେ । ମହାମାରୀର ଭୟାବହତା ଭିତରେ ଭିଣ୍ଡ ଜିଲ୍ଲାର ଉମରୀ ଗାଁରେ ଏକ ବିବାହରେ ଯୋଗ ଦେଇଥିଲେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ୱ ଲୋକ । ଭୋଜିଭାତରେ ଜମିଥିବା ଆସିର । ହସଖୁସିରେ ମସଗୁଲ ଥିଲେ ଅତିଥି । ବାରଣ ତ୍ସତ୍ତ୍ୱେ ଗୋଟିଏ ସ୍ଥାନରେ ଜମା ହୋଇଥିଲେ ଅନେକ ଲୋକ । ସାମାଜିକ ଦୂରତା କଥା ଛାଡ଼ନ୍ତୁ, କାହା ମୁହଁରେ ମାସ୍କ ଟିଏ ନଥିଲା । ତେବେ ଖବର ପାଇଁ ଅଚାନକ୍ ବିବାହ ଉତ୍ସବରେ ପହଞ୍ଚି ଯାଇିଥିଲା ମାମୁଁ । ପୋଲିସକୁ ଦେଖି ଅତିଥିଙ୍କ ଭୋଜି ଖିଆ ଛାଡ଼ିଗଲା । ଯିଏ ଯୁଆଡ଼େ ପାରିଲେ ଦୌଡିଲେ । ହେଲେ ପୋଲିସ ଠାରୁ ବର୍ତ୍ତିବ କିଏ ।

ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରାଇ ବେଙ୍ଗ ଡିଆଁ ମାରିବାକୁ କହିଥିଲା ପୋଲିସ୍ । ଆଉ ବିବାହରେ ଭୋଜିର ମଜା ନେବାକୁ ଆସଥବା ଅତିଥି ଶେଷର ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ଗୋଟିଏ ଭିଡିଓରେ ପାଖାପାଖି ୧୭ ଜଣ ଲୋକ ବେଙ୍ଗ ଡିଆଁ ମାରୁଥିବାର ଦେଖିବାକୁ ମଳିଛି । ସେଥି ମ୍ୟଧରୁ ଜଣେ ବ୍ୟକ୍ତି ଭଲରେ ବେଙ୍ଗ ଡିଆଁ ମାରିପାରୁ ନଥିବାରୁ ପୋଲିସ ବାବୁ ପିଠିରେ ଦୁଲଦାଲ ବର୍ଷାଉଥିବାର ବି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ତେବେ ଏହି ଦଣ୍ଡ ପରେ ଲକଡାଉନ୍ ନିୟମ ଉଲ୍ଲଂଘନ ନକରିବା ପାଇଁ ଚେତାବନୀ ସହ ସମସ୍ତଙ୍କୁ ଛାଡ଼ି ଦେଇଥିଲା ପୋଲିସ୍ ।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୫,୦୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪.୭ଲକ୍ଷରେ ପହଞ୍ଚି ଯାଇଛି । ରାଜ୍ୟରେ ଏବେ ସୁଦ୍ଧା ଭାଇରସରେ ସଂକ୍ରମିତ ହୋଇ ୭,୨୨୭ ଜଣ ପ୍ରାଣ ହରାଇଛନ୍ତି ।

You might also like