ଘର ଥିଲା ଆଉ ଅଳ୍ପ ବାଟ; ହେଲେ ଚାଲି ପାରିଲାନି, ଆଖି ବୁଜିଲା ୧୨ ବର୍ଷର ନାବାଳିକା

ବିଜାପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡର ବିଜାପୁର ଅଞ୍ଚଳରେ। ଜଣେ ୧୨ ବର୍ଷର ନାବାଳିକା(ଜମଲୋ ମଡକାମୀ)  କାମ ଅନ୍ୱେଷଣରେ ବିଜାପୁରର ଆଦେଡ଼ ଗ୍ରାମରୁ ତେଲେଙ୍ଗାନାର ପେରୁ ଗାଁକୁ ଯାଇଥିଲେ। ଲକ୍‌ଡାଉନ୍‌(୨)ର ଅବଧି ବଢ଼ାଇ ଦେବାରୁ ପିଲାଟି ନିଜ ଗାଁକୁ ଚାଲି ଚାଲି ଆସିବାକୁ ସ୍ଥିର କଲା। ସେଠାରେ ଥିବା ନିଜ ଗାଁର୧୧ଜଣ ସାଙ୍ଗମାନଙ୍କ ସହିତ ଜଙ୍ଗଲ ରାସ୍ତା ଦେଇ ଚାଲିଚାଲି ବିଜାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ୩ଦିନ ଚାଲି ଚାଲି ଛତିଶଗଡର ବିଜାପୁରର ମୋଦକପାଲ୍‌ ଅଞ୍ଚଳରେ ପହଞ୍ଚିଥିଲେ। କିନ୍ତୁ ଡିହାଇଡ୍ରେସନ ଯୋଗୁଁ ୧୨ ବର୍ଷର(ଜମଲୋ) ନାବାଳିକାର ମୃତ୍ୟୁ ଘଟିଥିଲା। ସବୁଠାରୁ ଦୁଃଖର କଥା ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନଠାରୁ ତାଙ୍କ ଘର ଥିଲା ମାତ୍ର ୧୪ କିମି ଦୂର।

ପ୍ରଶାସନ ସତର୍କତା ଅବଲମ୍ୱନ କରି ତାଙ୍କ ସହ ତେଲେଙ୍ଗାନାରୁ ଫେରିଥିବା ୧୧ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଥିଲା। ନିଜର ଏକ ମାତ୍ର ଝିଅର ମୃତ୍ୟୁ ଖବର ପାଇ ବାପା ଓ ମା’ ଦୁହେଁ ଜିଲ୍ଲା ହସ୍ପିଟାଲକୁ ଯାଇଥିଲେ। ମୃତ୍ୟୁର ତିନି ଦିନ ପରେ ନାବାଳିକର ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ଜମଲୋଙ୍କ ମୃତଦେହ ତାଙ୍କ ବାପାମା’ଙ୍କୁ ହସ୍ତାନ୍ତର କରାଯାଇଥିଲା।

ବିଜାପୁରର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବି.ଆର. ପୂଜାରୀ କହିଛନ୍ତି ଯେ ତେଲେଙ୍ଗାନାରୁ ଫେରୁଥିବା ନାବାଳିକାର ମୃତ୍ୟୁ ଖବର ପାଇବା ମାତ୍ରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ। ନାବାଳିକାର ମୃତଦେହକୁ ବିଜାପୁରକୁ ଆଣିବା ସହିତ ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସତର୍କତା ଅନୁଯାୟୀ ଶବର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ଯାହାର ରିପୋର୍ଟ ନେଗେଟିଭ୍‌ ଆସିଛି। ଡକ୍ଟର କହିଛନ୍ତି ଯେ ଅତ୍ୟଧିକ ଖରା ହେତୁ ନାବାଳିକାର ଶରୀରରେ ଜଳୀୟଅଂଶ କମିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲା ପରେ ହିଁ ସଠିକ୍‌ ଖବର ଜଣାପଡିବ।

You might also like