ଭୋକରେ ମରିଯାଉ ଭାବି ପାଞ୍ଚ ମାସର କୁନି ଝିଅକୁ କ୍ଷୀର ପିଆଇବା ବନ୍ଦ କରିଦଲା ମା’

ମା’ ତୁ ଏତେ ହୃଦୟହୀନ କିପରି ହେଲୁ ?

ସୋପୁର: ମା’ ତୁ ଏତେ ନିର୍ଦ୍ଦୟୀ କିପରି ହେଲୁ ? ଭୋକରେ ପେଟ କ’ଣ ହୋଇଯାଉଛି, ମୋତେ କ୍ଷୀର ଟୋପେ ପିଇବାକୁ ଦେ । ଏତେ କଷ୍ଟ ଯଦି ଦେବାର ଥିଲା ଜନ୍ମ କରିବା ଆଗରୁ ତଣ୍ଟି ଚିପି ମାରିଦେଲୁନି କାହିଁକି ? ମୁଁ ବି ବଡ଼ ହେଲେ ତୋର ସାହାରା ହେବି ମା’, ତୋ ନାଁ ରଖିବି। ମୋ କଅଁଳିଆ ଶୁଖିଲା ମୁହଁଟା ଦେଖି କ’ଣ ତୁ କିଛି ବୁଝି ପାରୁନୁ, ମୋ କଷ୍ଟ ଦେଖି ତତେ କ’ଣ କଷ୍ଟ ହେଉନି ?  ନିର୍ଦ୍ଦୟୀ, ନିଷ୍ଠୁର ମା’ ଆଗରେ କୁଆଁ କୁଆଁ ଶବ୍ଦ କରି କୁନି ଝିଅର ଏହି ସବୁ ଅଭିଯୋଗ ଯେପରି ଦେହସୁହା ହୋଇଯାଇଛି । କୁନି ଶିଶୁର ଗୁଲୁଗୁଲିଆ ମୁହଁଟା ଦେଖି ମା’ ମନ ଯେପରି ବିଷେଇ ଯାଉଛି। ମଧ୍ୟପ୍ରଦେଶ ସୋପୁର ଜିଲ୍ଲାରେ ଜଣେ ମହିଳା କ୍ଷୀର ପିଆଇବା ବନ୍ଦ କରିଦେବାରୁ ମେଡ଼ିକାଲରେ ଭର୍ତ୍ତି ହୋଇଛି ପାଞ୍ଚ ମାସର କୁନି ଝିଅ। ଝିଅ ମରିଯାଉ ଚିନ୍ତା କରି କ୍ଷୀର  ପିଆଇବା ବନ୍ଦ କରିଥିବା ଅଙ୍ଗନୱାଡ଼ି କର୍ମୀ କହିଛନ୍ତି।

ମଧ୍ୟପ୍ରେଦଶର ସୋପୁର ଜିଲ୍ଲାର ଏକ ଗାଁରେ ରାମପତି ବାଇ, ସ୍ୱାମୀ ଓ ପାଞ୍ଚ ଝିଅ ସହ ରୁହନ୍ତି। ପୁଅ ଜନ୍ମ ହେବା ଆଶାରେ ଗୋଟିଏ ପରେ ଗୋଟିଏ ଝିଅକୁ ଜନ୍ମ ଦେଉଥିଲେ। ଆଉ ଆଜିକୁ ପାଖାପାଖି ୬ ମାସ ପୂର୍ବରୁ ତାଙ୍କ କୋଳରେ ପୁଣି ଏକ ସୁନ୍ଦରିଆ, ଗୁଲୁଗୁଲିଆ କନ୍ୟା ସନ୍ତାନ ଜନ୍ମନେଇଥିଲା। ହେଲେ ପୁତ୍ର ମୋହରେ ସେ ଏପରି ଅନ୍ଧ ଥିଲେ ଯେ ପାଞ୍ଚ ମାସର କୁନି ଝିଅ ମୁହଁକୁ ଆଡ଼ ଆଖିରେ ଚାହିଁଲେନି। ଚାରି-ପାଞ୍ଚ ମାସ ପର୍ଯ୍ୟନ୍ତ କୁନି ଝିଅ ପ୍ରିୟାଙ୍କୁ ସ୍ତନ୍ୟପାନ କରାଇଥିଲେ, ଆଉ ତା’ପରେ ହଠାତ ବନ୍ଦ କରିଦେଇଥିଲେ । ଛଅ ଥରରେ ବି ପୁଅ ମୁହଁ ଦେଖିନପାରିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ।

କେବଳ ମା’ କ୍ଷୀର ଉପରେ ନିର୍ଭର କୁନି ଝିଅ କିଛି ନଖାଇ‍ବାରୁ ତା’ ହିମୋଗ୍ଲାବିନ୍ କମ ହୋଇଗଲା। କୁନି ଝିଅ କୁପୋଷଣର ଶିକାର ହେବା ସହ ଶୁଖିକଣ୍ଟା ହୋଇଗଲା, ଆଉ ରକ୍ତ ଦରକାର ପଡ଼ିଥିଲା। ହେଲେ ଏତିକିରେ ବି ମାର କଠୋର ହୃଦୟ ତରଳିଗଲାନି। କୁନି ଶିଶୁକୁ ରକ୍ତ ଦେବାପାଇଁ ସଫା ସଫା ମନା କରିଦେଲା। ଓଜନ କରିବା ସମୟରେ ଅଭଙ୍ଗନୱାଡ଼ି କର୍ମୀ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଫଳରେ କୁନି ଝିଅକୁ ତୁରନ୍ତ ଡାକରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ, ହେଲ ଝିଅ ପ୍ରତି ଟିକିଏ ବି ମୋହ ନଥିବାରୁ ରାମପତି ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କିରବାକୁ ପ୍ରସ୍ତୁତ ନଥିଲେ।

ଫଳରେ ପରେ ପରିଯୋଜନା ଅଧିକାରୀଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା। ଟିମ ସହ ଗାଁରେ ପହଞ୍ଚି ଅନେକ ବୁଝାସୁଝା କରିବା ପରେ କୁନି ଝିଅ ପ୍ରିୟାକୁ ମେଡ଼ିକାଲରେ ଭର୍ତ୍ତି କରାଗଲା। ଯାଂଚ ସମୟରେ ଜଣାପଡ଼ିଲା ବିନା ଖାଦ୍ୟରେ ତା’ର ଓଜନ ୩. ୫ ଗ୍ରାମ ହୋଇଯାଇଥିବା ବେଳେ ହିମଗ୍ଲୋବିନର ମାତ୍ରା ଥିଲା ମାତ୍ର ୩.୨ରେ ପହଞ୍ଚିଯାଇଛି।  ଶେଷରେ ମା’ର ରକ୍ତ ନମୁନା ନିଆଯାଇ ଝିଅକୁ ରକ୍ତ ଦେବା ପାଇଁ କହିଥିଲେ ଡାକ୍ତର। ହେଲ ଦୁଃଖର କଥା ହେଲା, ରକ୍ତ ନମୂନା ମ୍ୟାଚ ହେଲେ ସୁଦ୍ଧା ରକ୍ତ ଦେବକୁ ମନା କରିଦେଲେ ରାମପତି । ଶେଷରେ ଅଙ୍ଗନୱାଡ଼ି  କର୍ମୀ ଜଣକ ନିଜେ କୁନି ଝିଅକୁ ରକ୍ତ ଦେଇଥିଲେ । ଫଳରେ ଏବ ପ୍ରିୟାର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।


ସରକାର ଝିଅ ମାନଙ୍କ ଉଦ୍ଦେଶ୍ୟରେ ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ପରି ଅନେକ ଯୋଜନା କରିଛି। ତେବେ ଏହି ଯୋଜନା ପାଇଁ ଲୋକେ ବିଶେଷ ଭାବେ ଉପକୃତ ମଧ୍ୟ ହେଇଛନ୍ତି। ଯୁଗ ଯାଇ କେଉଁଠି ପହଞ୍ଚିଲାଣି, ପୁଅଙ୍କ ସହ ତାଳ ଦେଇ ଝିଅମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ତଥାପି ରାମପତି ବାଇଙ୍କ ପରି କିଛି ମଣିଷ ଆଜି ବି ପୁଅକୁ ଗୁରୁତ୍ୱ ଦେଇଛନ୍ତି। ଏତେ ସରକାରୀ ଯୋଜନା ସତ୍ତ୍ୱେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସୁନି। ଉପରୋକ୍ତ ଘଟଣା ହିଁ ଏହାର ସଦ୍ୟ ଉଦାହରଣ।

You might also like