ଲକ୍‌ଡାଉନ: ୧୪୦୦ କିମି ସ୍କୁଟି ଚଲାଇ ପୁଅକୁ ଘରକୁ ଆଣିଲେ ମା’

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନିଜାମ୍‌ବାଦରେ ରହୁଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଲକ୍‌ଡାଉନ ସମୟରେ ନିଜର ସାହସିକ କାମ ପାଇଁ ବେଶ ପ୍ରଶସିଂତ ହୋଇଛନ୍ତି। ରାଜିଆ ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ। ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ। ଆଉ ସେଠାରୁ ତାଙ୍କ ପୁଅକୁ ନେଇ ଘରକୁ ଫେରିଥିଲେ। ଏଥିପାଇଁ ତାଙ୍କୁ ୧୪୦୦ କିମି ସ୍କୁଟି ଚଲାଇବାକୁ ପଡ଼ିଥିଲା।

ଅବଶ୍ୟ ଲକ୍‌ଡାଉନ ସମୟରେ ବାହାରକୁ ଯିବା ପାଇଁ ରାଜିଆ ପୋଲିସଠାରୁ ଅନୁମତି ଆଣିଥିଲେ। ନେଲ୍ଲୋରରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ସ୍ଥାନରେ ଅଟକିବାକୁ ପଡ଼ିଥିଲା। ବାଟରେ ତାଙ୍କୁ ଅନେକ ଜାଗାରେ ପୋଲିସ ଅଟକାଇଥିଲା। ହେଲେ ସେ ସମସ୍ତଙ୍କୁ ବୁଝାଇ ନେଲ୍ଲୋରେ ପହଞ୍ଚିଥିଲେ।

ରାଜିଆ କହିଛନ୍ତି, ତାଙ୍କ ପୁଅ ନିଜାମୁଦ୍ଦିନ ଇଣ୍ଟରମିଡିଏଟ୍‌ର ଛାତ୍ର। ସେଠାରେ ହାଇଦ୍ରାବାଦ୍‌ର ଏକ କୋଚିଂ ସେଣ୍ଟରରେ ସେ ପଢୁଥିଲା। ଗତମାସରେ ନିଜାମୁଦ୍ଦିନ ସେଠିକାର ଜଣେ ସାଙ୍ଗକୁ ନେଇ ବୋଧାନ ଆସିଥିଲା। କିଛି ଦିନ ରହିବା ପରେ ହଠାତ୍‌ ତାଙ୍କ ସାଙ୍ଗର ବାପାଙ୍କ ଦେହ ଖରାପ ଅଛି। ତେଣୁ ମାର୍ଚ୍ଚ ୧୨ ତାରିଖ ନିଜାମୁଦ୍ଦିନ ସାଙ୍ଗ ସହ ନେଲ୍ଲୋର ବାହାରି ଯାଇଥିଲେ। ଏହା ପରେ ପରେ  କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଗଲା। ଏହାପରେ ନିଜାମୁଦ୍ଦିନ ଘରକୁ ଫେରି ପାରି ନ ଥିଲେ। ଘରକୁ ଫେରିବାର ସବୁ ବାଟ ବନ୍ଦ ହୋଇଯିବାରୁ ବାଧ୍ୟ ହୋଇ ରାଜିଆ ବୋଧାନ ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ସବୁ କଥା କହିଥିଲେ।

ପୋଲିସଠାରୁ ଅନୁମତି ନେଇ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୭ ତାରିଖ ସେ ନେଲ୍ଲୋର ପହଞ୍ଚିଥିଲେ। ୮ ତାରିଖ ପୁଅକୁ ନେଇ ସେଠାରୁ ବାହାରିଥିଲେ। ପ୍ରାୟ ୧୪୦୦ କିମି ସ୍କୁଟିରେ ଯାତ୍ରା କରିବା ପରେ ସେ ଘରେ ବୋଧାନରେ ପହଞ୍ଚିଥିଲେ।

ରାଜିଆ କହିଛନ୍ତି, ଏଥିପାଇଁ ତାଙ୍କୁ ଜଙ୍ଗଲି ରାସ୍ତାରେ ଯିବାକୁ ପଡ଼ିଥିଲା। ତେବେ ଏ ସବୁକୁ ନେଇ ସେ ଭୟଭୀତ ହୋଇ ନ ଥିଲେ। କାରଣ ସେତେବେଳେ ତାଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ଥିଲା କେମିତି ପୁଅକୁ ନେଇ ଘରକୁ ଫେରିବେ।

 

You might also like