ରିମୋର୍ଟ ପାଇଁ ୩ ବର୍ଷ ଝିଅର ଜୀବନ ନେଲା ମା’

ବେଙ୍ଗାଲୁରୁ:ସାମାନ୍ୟ ରିମୋର୍ଟ ପାଇଁ ପିଶାଚୀ ସାଜିଲା ମା’। ବାପାଙ୍କ ପକ୍ଷ ନେଉଥିବା କୁନି ଝିଅକୁ ତଣ୍ଟି ଚିପି ମାରିଦେଲା । ନିର୍ମାଣାଧୀନ କୋଠାରୁ ୩ ବର୍ଷିୟ ଝିଅର ମୃତ ଦେହ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍। ପଶ୍ଚିମ ବେଙ୍ଗାଲୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ନିକଟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଟିଭି ରିମୋର୍ଟ ନେଇ ଝଗଡ଼ା ହୋଇଥିଲା, ଆଉ କୁନି ଝିଅଟି ସବୁଥର ପରି ଏଥର ବି ଖନି ଖନି ପାଟିରେ ବାପାଙ୍କ ପକ୍ଷ ନେଇଥିଲା। ତେବେ ସ୍ୱାମୀଙ୍କ ପକ୍ଷ ନେବାକୁ ମହିଳା ଜଣକ ଭୀଷଣ ରାଗିଯାଇଥିଲେ। ତେବେ ହଠାତ ଘଟଣା ଦିନ କିଛି କରିନଥିଲେ ସୁଦ୍ଧା ମନରେ ରାଗ ରଖି ସୁଯୋଗ ଅପେକ୍ଷାରେ ଥିଲେ।

ପଶ୍ଚିମ ବେଙ୍ଗାଲୁରର ଏକ ଟାଇଲ୍ସ ଦୋକନାରେ ହାଉସ କିପିଂ ଷ୍ଟାଫ୍ ରୂପେ କାମ କରନ୍ତି ଅଭିଯୁକ୍ତ ମହିଳା ସୁଧା। ତାଙ୍କ ସ୍ୱାମୀ ଇରନ୍ନା ଜଣେ ଦିନ ମଜୁରିଆ। ଟିଭି ରିମୋର୍ଟ ପାଇଁ କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ସେହି ରାଗ ମନରେ ରଖି କେହି ନଥିବା ବେଳେ କୁନି ଝିଅଟିକୁ ଏକ ନିର୍ମାଣାଧୀନ କୋଠାକୁ ନେଇ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ ଅଭିଯୁକ୍ତ ମହିଳା। କୁନି ଝିଅର ଦୋଷ କେବଳ ଏତିକି ଥିଲା ସେ ବାପାଙ୍କୁ ଅଧିକ ଭଲପାଉଥିବାରୁ, ସ୍ୱାମୀ-ସ୍ତ୍ରୀ କଳିରେ ବାପାଙ୍କ ପକ୍ଷ ନେଇଥିଲା।

ତେବେ ଝିଅକୁ ମାରିବା ପରେ ଅନୁତାପ କରିବା ପରିବର୍ତ୍ତେ ଖୁନୀ ଷଡ଼ଯନ୍ତ୍ର ରଚିଥିଲା ମା’। ଝିଅ ନିଖୋଜ ହୋଇଥିବା ନାଟକ କରି କାନ୍ଦ ବୋବାବଳିରେ ଘର କମ୍ପାଇ ଦେଇଥିଲା। କେବଳ ଏତିକି ନୁହେଁ ଝିଅ ମିଳୁନଥିବା କହି ପୋଲିସରେ ଅଭିଯୋଗ ମଧ୍ୟ କରିଥିଲା। ଘର ବାହାରେ ଥିବା ଦୋକାନରୁ ଗୋବି ମଞ୍ଚୁରିଆନର ଖୁଆଇବାକୁ ନେବାବେଳେ ଝିଅ କୁଆଡ଼େ ଚାଲି ଯାଇଥିବା କହିଥିଲେ ଅଭିଯୁକ୍ତ ମହିଳା।

ତେବେ ଅଭିଯୋଗ କରିବାର ଦିନକ ପରେ ନିର୍ମାଣାଧୀନ କୋଠା ପାଖ ଦେଇ ଗଲାବେଳେ କୁନି ଝିଅର ଶବ ପଡ଼ିଥିବାର ଜଣେ ପଥିକ ଦେଖିଥିଲେ ଏବଂ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ଚିହ୍ନଟ କରିବା ପାଇଁ ସୁଧା ଓ ଇରନ୍ନାଙ୍କୁ ଡକାଇଥିଲେ । ଇରନ୍ନା ମୃତକକୁ ନିଜ ଝିଅ ବୋଲି ଚିହ୍ନି ଥିଲା ।

ତେବେ ସୁଧାର କଥାରେ କୌଣସି ତାଳମେଳ ଖାଉ ନଥିବାରୁ ପୋଲିସକୁ ସନ୍ଦେହ ହୋଇଥିଲା। ଅଧିକ ପଚରାଉଚରା କରିବା ପରେ ସବୁ ସତ କଥା ମାନିଥିଲା ଅଭିଯୁକ୍ତ ମା‘। ଝିଅକୁ ସାମାନ୍ୟ ରିମୋର୍ଟ ପାଇଁ ହତ୍ୟା କରିବା କଥା ପୋଲିସ ଆଗରେ ସ୍ୱୀକାର କରିଥିଲା।

You might also like