ହୃଦୟ ବିଦାରକ ଦୃଶ୍ୟ: ରିକ୍ସାରେ ଗୋଡ଼ତଳେ ପୁଅର ଶବକୁ ନେଇ ଘରକୁ ଗଲା ମାଆ

କାର୍ଯ୍ୟାନୁଷ୍ଠାନ କେବେ?

ବାରଣାସୀ: ଅଦୃଶ୍ୟ ମହାମାରୀର ମାୟାଜାଲରେ ଛନ୍ଦି ହୋଇ ପଡ଼ିଛି ମଣିଷ। କେମିତି ଏହି ଜାଲରୁ ନିଜକୁ ବଂଚାଇନେବ ସେହି କଥା ଦିନରାତି ଚିନ୍ତା କରୁଛି ସତ କିନ୍ତୁ କିଛି ଉପାୟ ମିଳୁନାହିଁ। ମହାମାରୀ ଏତେ ଉଗ୍ରରୂପ ଧାରଣ କଲାଣି ଯେ, ତାହାର ସାମ୍ନା କରିବାକୁ କେହି ସାହାସ କରୁନାହାନ୍ତି। ନିଜର କାୟା ବିସ୍ତାର ତ କେବଳ କରୁନାହିଁ ବରଂ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା। ଏହି ମହାମାରୀ କୋଉ ପୁଅଠୁ ତାହାର ବାପା ଓ ମାଆଙ୍କୁ ଛଡ଼ାଇ ନେଉଛି ତ ଆଉ କାହାଠୁ ସ୍ୱାମୀ ତ ଆଉ କାହାଠୁ ସ୍ତ୍ରୀ। ଭୟଙ୍କର ମହାମାରୀ ଲାଗି କେତେ ଯେ, ପିଲା ବାପା ଓ ମାଆ ଛେଉଣ୍ଡ ହୋଇଗଲେଣି ତାହାର ହିସାବ କାହା ପାଖରେ ନାହିଁ। ଆଉ ଏହାରି ମଧ୍ୟରେ, ଦେଖିବାକୁ ମିଳୁଛି ଅନେକ କରୁଣ ଦୃଶ୍ୟ।

ଉତ୍ତର ପ୍ରଦେଶର କାଶୀରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କରୋନା ସହ ଲଢେଇ କରି କରି ଗୋଟିଏ ପୁଅ ସବୁଦିନ ଲାଗି ଆଖି ବୁଜିଦେଲା। ଆଉ ପୁଅକୁ ବଂଚାଇବାକୁ ଲାଗି ମାଆ ଅଂଟିରେ ଥିବା ସବୁ ଧନ ଖର୍ଚ୍ଚ କରିଦେଲା କିନ୍ତୁ ପୁଅ ବଂଚିଲା ନାହିଁ। ଆଉ ପୁଅର ମୃତ୍ୟୁ ପରେ ତାର ଶବକୁ ଇ-ରିକ୍ସାରେ ଧରି ନେଉଛି ମାଆ। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଇ-ରିକ୍ସାରେ ମାଆର ପାଦ ତଳେ ଶୋଇଛି ମଲା ପୁଅ।

ତେବେ ପୁଅ କିଡ଼ନୀ ରୋଗରେ ମଧ୍ୟ ପୀଡ଼ିତ ଥିବା କଥା ସାମ୍ନାକୁ ଆସିଛି। ଦେହ ଅଧିକ ଖରାପ ହେବା କାରଣରୁ ଚିକିତ୍ସା ପାଇଁ ମେଡ଼ିକାଲକୁ ପୁଅକୁ ନେଇ ଯାଇଥିଲେ ମାଆ। କିନ୍ତୁ ଦୁର୍ଭାଗ୍ୟର କଥା ମେଡିକାଲ କର୍ତ୍ତୃପକ୍ଷ ରୋଗୀକୁ ଆଡ଼ମିଟ୍‌ ତ କଲେ ନାହିଁ ଆଉ ପୁଅର ମୃତ୍ୟୁ ପରେ ଆମ୍ବୁଲାନ୍ସ ମଧ୍ୟ ଦେଲେ ନାହିଁ। ଯାହା ଫଳରେ ମାଆ ବାଧ୍ୟ ହୋଇ ଇ-ରିକ୍ସା କରି ଘରକୁ ପୁଅର ଶବ ନେଇଥିଲା। ତେବେ ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ, ଜଣେ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ,  ମେଡିକାଲ କର୍ତ୍ତୃପକ୍ଷ ହିଁ ଦାୟୀ। ଯଦି ଠିକ୍‌ ସମୟରେ ରୋଗୀର ଚିକିତ୍ସା କରାଯାଇଥାଆନ୍ତା ତାହାଲେ ରୋଗୀ ବଂଚିଯାଇଥାଆନ୍ତା।

 

 

You might also like