ଦେଶରେ ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ପ୍ରାୟ ସାଢ଼େ ୩ ଲକ୍ଷ ନୂଆ ମାମଲା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ପଦକ୍ଷେପ ନିଆଗଲେ ବି ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୯ ହଜାର ୬୯୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ୨ ହଜାର ୭୬୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ପ୍ରତ୍ୟେକ ଦିନ ଏହିଭଳି ଭାବେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଅନ୍ୟପଟେ ଗୋଟିଏ ଦିନରେ ୨ ଲକ୍ଷ ୧୭ ହଜାର ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫରିଥିବା ରିପୋର୍ଟ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି। ଖାଲି ସେତିକି ନୁହେଁ ରିପୋର୍ଟ ଅନୁଯାୟୀ ଦେଶରେ ଏବେ ୨୬ ଲକ୍ଷ ୮୨ ହଜାର ୭୫୧ଟି ସକ୍ରିୟ ମାମଲା ରହିଛି।

ସେହିଭଳି ଦେଶରେ ଏବେ ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଜଣ ଲୋକଙ୍କୁ ଟିକାକରଣ ସାରିଛି। ମାତ୍ର ୯୯ ଦିନରେ ୧୪ କୋଟିରୁ ଅଧିକ ଟିକାକରଣ କରିବାରେ ଭାରତ ପ୍ରଥମ ଦେଶ। ଗତ ୨୪ ଘଣ୍ଟାରେ ୨୫ ଲକ୍ଷରୁ ଅଧକ ଟିକାକରଣ କରାଯାଇଛି।

ଚାଇନାରେ ୧୪ କୋଟି ଟିକାକରଣ କରିବାରେ ୧୧୨ ଦିନ ଲାଗିଥିବା ବେଳେ ୟୁଏସଏକୁ ୧୦୪ ଦିନ ଲାଗିଥିଲା। କିନ୍ତୁ ଭାରତ ଏହି ଲକ୍ଷ୍ୟକୁ ମାତ୍ର ୯୯ ଦିନ ମଧ୍ୟରେ ପାର କରିଛି। ଭାରତରେ ଦ୍ରୁତ ଗତିରେ ଟିକାକରଣ କାର୍ଯ୍ୟ କରାଯାଉଛି। ଏଥିପ୍ରତି କେନ୍ଦ୍ର ସରକାର ତତ୍ପର ଅଛନ୍ତି। ତେବେ ଏହାରି ଭିତରେ ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଡାମନ ଡିଉ, ଦାଦ୍ରା ନଗର, ତ୍ରିପୁରା, ଲାକ୍ଷଦ୍ୱୀପ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ଗତ ୨୪ ୨୪ ଘଣ୍ଟାରେ କରୋନାରେ ଜଣେ ବି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ।

ତେବେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬୭୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ଭାବେ ଦିଲ୍ଲୀରେ ୩୫୭ ଜଣ ମୃତ୍ୟୁ ବରଣ କରିଛନ୍ତି। ସେହି ତାଲିକାର ତୃତୀୟରେ ରହିଛି ଉତ୍ତର ପ୍ରଦେଶ। ଏଠାରେ ୨୨୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଛତିଶଗଡ଼ରେ ୨୧୮, କର୍ଣ୍ଣାଟକରେ ୨୦୮, ଗୁଜରାଟରେ ୧୫୨, ଝଡ଼ଖଣ୍ଡରେ ୧୧୦, ମଧ୍ୟ ପ୍ରଦେଶରେ ୧୦୪, ପଞ୍ଜାବରେ ୯୪ ଓ ଉତ୍ତରାଖଣ୍ଡରେ ୮୧ ଜଣଙ୍କ ମୃତ୍ୟୁ ହୋଇଛି।

You might also like