କେନ୍ଦ୍ରକୁ ନୀତିନ ଗଡ଼କରୀଙ୍କ ପରାମର୍ଶ : ଟିକା ଉତ୍ପାଦନ ପାଇଁ ଅଧିକ କମ୍ପାନୀଙ୍କୁ ଲାଇସେନ୍ସ ଦେବା ଆବଶ୍ୟକ

ନୂଆଦିଲ୍ଲୀ : କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବ ସମୟରେ ବଡ଼ ବୟାନ ଦେଇଛନ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କରୋନା ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ଦେବା ଆବଶ୍ୟକ, ଯଦ୍ୱାରା ଭ୍ୟାକ୍ସିନ ଉତ୍ପାଦନ ବଢ଼ିବ ଓ ଟିକାକରଣରେ ସମସ୍ୟା ଦେଖାଯିବ ନାହିଁ । ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କେନ୍ଦ୍ରକୁ ଏହି ପରାମର୍ଶ ଦେଇଥିଲେ ।

ଚାହିଦା ବଢ଼ିଲେ, ଯୋଗଣାରେ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ କଥା । ତେଣୁ ଟିକା ଉତ୍ପାଦନ ପାଇଁ ଗୋଟିଏ କମ୍ପାନୀ ପରିବର୍ତ୍ତେ ୧୦ ଟି କମ୍ପାନୀକୁ ଲାଇସେନ୍ସ ଦେବା ଉଚିତ । ଅନ୍ୟପଟେ ଟୀକାର ମୂଳ କମ୍ପାନୀକୁ ଅନ୍ୟ କମ୍ପାନୀଗୁଡିକ ଦଶ ପ୍ରତିଶତ ରୟାଲଟି ପ୍ରଦାନ କରାଯିବାର ବ୍ୟବସ୍ଥା ହେବା ଆବଶ୍ୟକ । ବିଭିନ୍ନ ରାଜ୍ୟରେ ଏପରି ଲ୍ୟାବ ମହଜୁଦ ଅଛି, ଯେଉଁଠାରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାର କ୍ଷମତା ରହିଛି । ସେମାନଙ୍କୁ ଭ୍ୟାକ୍ସିନ ଫର୍ମୁଲା ଦିଆଗଲେ ଟିକା ଉତ୍ପାଦନ ବଢ଼ିପାରିବ ଏବଂ ୧୫ ଦିନରେ ଫଳାଫଳ ଜଣାପଡ଼ିଯିବ । ପ୍ରତି ରାଜ୍ୟରେ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି ପାଇଲେ, ସର୍ବପ୍ରଥମେ ଟିକା ଯୋଗାଣ ତୀବ୍ର ହେବ ଓ ପରେ ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରିହେବ ।

ସେହିପରି ଗଡକରୀ କହିଛନ୍ତି, ଟିକା ପାଇଁ ଭାରତକୁ ବିଦେଶରୁ କଞ୍ଚାମାଲ କ୍ରୟ କରିବାକୁ ପଡ଼ୁଛି । ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ଚାହୁଁଛୁ । ସେଥିପାଇଁ ମେଡିକାଲ, ଅକ୍ସିଜେନ ପ୍ରସଙ୍ଗରେ ଭାରତର ସମସ୍ତ ଜିଲ୍ଲା ଆତ୍ମନିର୍ଭରଶୀଳ ହେବା ଉଚିତ। ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ବର୍ତ୍ତମାନ ଏକ ଗଭୀର ସଙ୍କଟ ଦେଇ ଗତି କରୁଛି। ମହାମାରୀ ସମୟରେ ଆମକୁ ଏକ ସକରାତ୍ମକ ମନୋଭାବ ରଖିବା ସହ ଆତ୍ମବିଶ୍ୱାସ ବଜାୟ ରଖିବା ଆବଶ୍ୟକ।

ସେପଟେ ଖୁବଶୀଘ୍ର ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ଟ୍ରାଏଲ କରାଯିବ । ଆସନ୍ତା ୧୦ରୁ ୧୨ ଦିନ ଭିତରେ ୨ରୁ ୧୮ ବର୍ଷର ପିଲାମାନଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ ହେବ ବୋଲି ନିତି ଆୟୋଗ ସଦସ୍ୟ ସୂଚନା ଦେଇଛନ୍ତି । କୋଭାକ୍ସିନର ୨ୟ ଓ ୩ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ DCGI  ଅନୁମତି ଦେଇଛନ୍ତି । ପୂର୍ବରୁ ଏକ୍ସପର୍ଟ କମିଟି ଦ୍ୱାରା ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏହି ପ୍ରସ୍ତାବ ଦିଆଯାଇଥିଲା । ବିଶ୍ୱର ଅନେକ ଦେଶ ଏବେବି ଶିଶୁଙ୍କ ଉପରେ ଟିକା ଟ୍ରାଏଲକୁ ଅନୁମୋଦନ କରିନାହାନ୍ତି ।

You might also like