ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ!
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩,
ସୋନପୁର ୪୨.୨, ବୌଦ୍ଧରେ ୪୨, ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮, ସୁନ୍ଦରଗଡ଼ରେ ୪୦.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ତେବେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁ ତାତିରେ ସୁଧାର ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଆସନ୍ତା ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।