ସ୍କୁଲରେ ନୂଆ ନାମ ଲେଖାଇଛି, ପାଠ ପଢୁଛି..ଦେଖନ୍ତୁ କିଏ ଏଇ ଛାତ୍ରୀ
ଅମରାବତୀ: ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ସରକାରୀ ସ୍କୁଲରେ ଉପସ୍ଥାନ ଆଶାଜନକ ହୋଇପାରୁନି। ବହୁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ତୁଳନାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହୁଛି। । ହେଲେ ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲ୍ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍କୁଲର ଉପସ୍ଥାନ କିଛି ଦିନ ହେବ ଶତ ପ୍ରତିଶତରେ ପହଞ୍ଚିଛି।
କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଉ ତାହା ହେଉଛି ସ୍କୁଲକୁ ଆସିଥିବା ଜଣେ ନୂଆ ଛାତ୍ରୀ। ଯାହା ସହ ଶ୍ରେଣୀଗୃହରେ ପାଠ ପଢ଼ିବାକୁ ପିଲାଙ୍କୁ ବେଶ୍ ମଜା ଲାଗୁଛି। ସେହି ନୂଆ ଛାତ୍ରୀ ହେଉଛି ଏକ ମାଙ୍କଡ଼।
ହେଡମାଷ୍ଟରଙ୍କ କହିବା ଅନୁଯାୟୀ, ଏହା ଏକ ଦୁଇବର୍ଷର ମାଙ୍କଡ଼ ଯିଏ କି ଦୁଇ ସପ୍ତାହ ହେବ ପ୍ରତିଦିନ ସ୍କୁଲକୁ ଆସୁଛି। ପ୍ରାର୍ଥନା ସମୟରେ ଧାଡ଼ିରେ ଛିଡ଼ା ହେଉଛି। ପରେ କ୍ଲାସରୁମ୍ରେ ପିଲାଙ୍କ ସହ ବସି ପାଠ ପଢ଼ୁଛି । ପିଲାଙ୍କ ସହ ଖେଳୁଛି ଏବଂ ଟିଫିନ୍ ମଧ୍ୟ ଖାଉଛି। ଯାହାର ଏକ ଭିଡିଓ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏବେ ସ୍କୁଲର ଷ୍ଟାର ହୋଇଯାଇଛି ଏହି ମାଙ୍କଡ଼।
ଏହି ମାଙ୍କଡ଼କୁ ପିଲାମାନେ ଲକ୍ଷ୍ମୀ ବୋଲି ଡ଼ାକନ୍ତି। ଏହି ନାଁ ଧରି ଡାକିଲେ ମାଙ୍କଡ଼ଟି ମଧ୍ୟ ଶୁଣିଥାଏ। ପ୍ରଥମେ ଯେତେବେଳେ ମାଙ୍କଡ଼ଟି ସ୍କୁଲ ପରିସର ଭିତରକୁ ଆସିଲା ସେତେବଳେ ଶିକ୍ଷକମାନେ ଭାବିଲେ ଯେ ଏହା ପିଲାଙ୍କର କ୍ଷତି କରିବ। ତେଣୁ ସେମାନେ ଗେଟ୍ ବନ୍ଦ କରିଦେଉଥିଲେ। ହେଲେ ଲକ୍ଷ୍ମୀ ଝରକାରେ ବସି ଶିକ୍ଷକ ଯାହା ପଢ଼ାଉଥିଲେ ତାହା ଶୁଣୁଥିଲା। ଏହା ଦେଖି ଶିକ୍ଷକମାନେ ମାଙ୍କଡ଼କୁ ଭିତରକୁ ଆସିବାକୁ ଦେଲେ। ଏହା ପରଠୁ ଲକ୍ଷ୍ମୀ ଅନ୍ୟ ପିଲାଙ୍କ ପରି ପ୍ରତିଦିନ ସ୍କୁଲ ଆସୁଛି ଓ ତାଙ୍କ ସହ ବସି ପାଠ ପଢ଼ୁଛି।
Meet a student Langur who attends classes, prayers, listens lectures at a school & became integral part of it. Students call her LAKSHMI & she is on strict diet of fruits as staff gives bananas everyday to avoid junk food#TuesdayMotivation #TuesdayThoughts #TuesdayMorning #quote pic.twitter.com/bRq93673LP
— Dr. Simran Sharma (@DrSimranSharma) August 6, 2019
ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଲକ୍ଷ୍ମୀ ପାଇଁ ମଧ୍ୟ କଦଳୀ ଓ ଅନ୍ୟ ଫଳମୂଳର ବ୍ୟବସ୍ଥା ରହିଛି। ଯାହାକୁ ସେ ସମସ୍ତଙ୍କ ସହ ବସି ମଧ୍ୟାହ୍ନ ଭୋଜନ ସମୟରେ ଖାଏ। ସବୁଠୁ ଭଲ କଥା ହେଉଛି, ଲକ୍ଷ୍ମୀ
ସ୍କୁଲକୁ ଆସିବାପରେ ପିଲାଙ୍କର ଶ୍ରେଣୀଗୃହରେ ଉପସ୍ଥିତି ଶତ ପ୍ରତିଶତକୁ ବଢ଼ିଯାଇଛି।