ପୋଖରୀରେ ଭାସୁଥିଲା ୫୦୦, ୨୦୦୦ ଟଙ୍କିଆ ନୋଟ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ: ମାଛ ଧରିବାକୁ ପିଲାଟିଏ ପାଖ ପୋଖରୀକୁ ଯାଇଥିଲା। ପାଣିରେ କଣ୍ଟା ପକାଇବା ପରେ ମାଛ ପଡ଼ିଲା ଭାବି  ବନ୍‌ଶି ଉଠାଇଦେଲା। ହେଲେ ଉପରକୁ ଆସିବା ପରେ ଯାହା ଦେଖିଲା ତା’ର ହୋଶ ଉଡ଼ିଗଲା। ପ୍ରକୃତରେ ବନ୍‌ଶୀ କଣ୍ଟାରେ ମାଛ ପଡ଼ି ନଥିଲା, ପଡିଥିଲା ଏକ ନୋଟ ଭର୍ତ୍ତି ବ୍ୟାଗ। ବ୍ୟାଗ୍‌ ଭିତରେ ଥିଲା ୫୦୦ ଏବଂ ୨୦୦୦ ଟଙ୍କାର ନୋଟ। ଏହି ସମୟରେ ଜୋରରେ ପବନ ଆସିବାରୁ କିଛି ଟଙ୍କା ଉଡ଼ିଗଲା। ହେଲେ ପିଲାଟି ଭୟ ଆଉ ଉତ୍କଣ୍ଠାରେ ଯାହା ପାଇଲା ସେତିକି ଟଙ୍କାକୁ ଧରି ଘରକୁ ଫେରି ଆସିଥିଲା।  ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଖଣ୍ଡଭା ଜିଲ୍ଲାରେ।

ଖଣ୍ଡଭା ଜିଲ୍ଲାର  ଆରୁଦ୍ ଗାଁର ପୋଖରୀ ନିକଟ ଗଛ ତଳେ ଏବଂ ଆଖପାଖ ଇଲାକାରେ ନୋଟ ପଡିଥିବା ଖବର ଗାଁରେ ଖେଳିଗଲା। କିଛି ସମୟ ଭିତରେ ସେଠାରେ ଲୋକଙ୍କ ଭିଡ ଜମିଗଲା। ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ନୋଟ୍‌କୁ ସାନିଟାଇଜ କରି ଜବତ କରିଥିଲା।

ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ, ଜଣେ ବାଇକ୍‌ ଚାଳକ ସୋମବାର ସକାଳେ ପୋଖରୀ କୂଳରେ କିଛି ପକାଇ ଦେଇ ଗଲେ। ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖିଥିଲେ। ହେଲେ ସେ ଘଟଣାକୁ ଏତେ ଗୁରୁତ୍ୱ ଦେଇ ନ ଥିଲେ। ଯୁବକ ଜଣକ ୱାକ୍‌ରୁ ଫେରି ପୋଖରୀ ନିକଟରେ ଭିଡ ଦେଖିବା ପରେ ଘଟଣାସ୍ଥଳକୁ ଆସି ପ୍ରକୃତ କଥା ଜାଣିଥିଲେ।

ପୋଲିସ ଉକ୍ତ ଯୁବକଙ୍କଠାରୁ ସବୁକଥା ଜାଣିବା ପରେ ମାଛ ଧରୁଥିବା ବାଳକକୁ ଡାକି ସବୁ ଟଙ୍କାକୁ ଜବତ କରିଛି। ୧୨ଟି ୫୦୦ ଟଙ୍କିଆ ନୋଟ ଏବଂ ୨ଟି ୨୦୦୦ ଟଙ୍କା ନୋଟ ପୋଲିସର ହସ୍ତଗତ ହୋଇଛି।  ଟଙ୍କା ପକାଇଥିବା ଯୁବକଙ୍କୁ ଖୋଜୁଛି। ତେବେ ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଛି।

You might also like