ମନ କି ବାତରେ ମୋଦିଙ୍କ ବାର୍ତ୍ତା : ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି କରୋନା

ଦ୍ୱିତୀୟ ଲହର ବିପକ୍ଷରେ ମିଳିମିଶି ଲଢ଼ିବା

  • କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି
  • ଅନେକ ନିଜ ପରିଜନଙ୍କୁ ଅସମୟରେ ହରାଇଛନ୍ତି
  • କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି
  • ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ
  • ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢ଼େଇ ଜାରି ରହିଛି
  • ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଲଢ଼େଇରେ ସାମିଲ ଅଛନ୍ତି
  • ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ

ନୂଆଦିଲ୍ଲୀ : ବୈଶ୍ୱିକ ମହାମାରୀ କରୋନାକୁ ହରାଇବା ବର୍ତ୍ତମାନ ଦେଶ ଓ ଦେଶବାସୀଙ୍କ ପାଇଁ ପ୍ରାଥମିକତା । କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି, ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢ଼େଇ ଜାରି ରହିଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ କରୋନା ବିରୋଧୀ ଲଢ଼େଇରେ ସାମିଲ ଅଛନ୍ତି । ଦେଶରେ ଚାଲୁ ରହିବ ମାଗଣା ଟିକାକରଣ ଅଭିଯାନ । ତେବେ ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆଜି ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ୭୬ ତମ ମନ୍ କି ବାତ ସଂସ୍କରଣରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତ ମୋଦି । କରୋନା ବିରୋଧୀ ଯୁଦ୍ଧରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରୁଛନ୍ତି। ରାଜ୍ୟମାନଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କର ଟିକାକରଣ କରାଯିବ । ସେହିପରି କିଛି ଡାକ୍ତର ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସୂଚନା ଦେଉଛନ୍ତି । ହ୍ୱାଟସଆପରେ କାଉନସେଲିଂ କରୁଛନ୍ତି । ଅନେକ ହସ୍ପିଟାଲରେ ୱେବସାଇଟ ରହିଛି, ଯେଉଁଠି କରୋନା ସମ୍ମନ୍ଧିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ତେବେ ଏହି ଯୁଦ୍ଧ ଜିତିବା ପାଇଁ ଆମକୁ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ସେପଟେ ନୂଆଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି ଲକ୍‌ଡାଉନ୍‌ କଟକଣା ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ଥିବାବେଳେ ଆଜି ଲକ୍‌ଡାଉନ୍‌ ଅବଧିକୁ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ।

 

You might also like