ମହଙ୍ଗା ହୋଇପାରେ ମଡର୍ଣ୍ଣା ଟିକା

ଫ୍ରାଙ୍କଫର୍ଟ: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ପାଇଁ ଆଲୋଚନା ଚାଲିଛି।

ପ୍ରତି ଡୋଜ୍‌ ପାଇଁ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ଟିକା ଯୋଗାଇ ଦିଆଯିବ ବୋଲି ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ୍‌ ଷ୍ଟିଭେନ୍ ବନ୍‌ସଲ୍‌ ସୂଚନା ଦେଇଛନ୍ତି। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୮୫୪ ଟଙ୍କାରୁ ୨୭୪୪ ଟଙ୍କା ମଧ୍ୟରେ ରହିବ।

ୟୁରୋପୀୟ ସଂଘର ପ୍ରତିନିଧି ମାନେ ଗତ କିଛି ଦିନ ଧରି ମଡର୍ଣ୍ଣା ସହ ଆଲୋଚନା କରି ଆସୁଛନ୍ତି। କିନ୍ତୁ ଟିକା ଯୋଗାଣ ନେଇ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଫେଜ୍ ଥ୍ରୀ ଟ୍ରାଏଲ ବେଳେ ଏହି ଟିକା ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧୀ ବୋଲି ଦାବି କରିଛି ମଡର୍ଣ୍ଣା କମ୍ପାନୀ। ଏପରିକି ଏହି ଟିକା ରୋଗ ପ୍ରତିରୋଧ କ୍ଷେତ୍ରରେ ୯୪% ସଫଳ ହୋଇଥିବା ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟ କରୁଥିବା କମ୍ପାନୀର ସିଇଓ ଦାବି କରିଛନ୍ତି।

ମଡର୍ଣ୍ଣାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଳେ ଏଥିରେ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୪. ୫% କ୍ଷେତ୍ରରେ ଟିକା ପ୍ରୟୋଗ ସଫଳ ହୋଇଥିବା କମ୍ପାନୀ ସୂଚନା ଦେଇଛି। ଯାହା କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

You might also like