ଶିଶୁଙ୍କ ପାଇଁ ଆସିଲା କରୋନା ଭାକ୍ସିନ
ନୂଆଦିଲ୍ଲୀ: ଶିଶୁଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍। ଏଥିପାଇଁ ଭାକ୍ସନ ‘କିଡ୍କୋଭ୍’ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି। ଏ ନେଇ ଆମେରୀକିୟ ଫାର୍ମା କମ୍ପାନୀ ମଡର୍ଣ୍ଣା ପକ୍ଷରୁ ଘୋଷଣା କରାଯାଇଛି। ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୬ ମାସରୁ ୧୧ ବର୍ଷ ବୟସର ଶିଶୁଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି ।
୬ହଜାର ୭୫୦ ଜଣ ଶିଶୁଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପଯର୍ୟାୟରେ ବଡ ପିଲାଙ୍କୁ ଏହି ଟିକା ଦିଆଯିବ। ସେମାନଙ୍କ ଶରୀରରେ ଟିକା ଫଳପ୍ରଦ ହେବା ପରେ ଛୋଟ ପିଲାଙ୍କୁ ଦିଆଯିବ । ଖାଲି ସେତିକି ନୁହେଁ, ପ୍ରଥମେ ଟିକାର ଅଳ୍ପ ଡୋଜ୍ ଦିଆଯିବ। ତାହା ସଫଳ ହେଲେ ଡୋଜ୍ ବଢାଯିବ। ଟିକାର କ୍ଲିନିକାଲ ଟ୍ରାଏଲକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
ପ୍ରଥମ ଭାଗରେ ୬ମାସରୁ ୧ ବର୍ଷଯାଏଁ ଶିଶୁଙ୍କୁ ପରୀକ୍ଷାମୂଳକ ଟିକାର ଭିନ୍ନ ଭିନ୍ନ ଡୋଜ୍ ଦିଆଯିବ । ୨୫ରୁ ୫୦ ମାଇକ୍ରୋଗ୍ରାମ ଯାଏଁ ରହିପାରେ ଟିକାର ପ୍ରତିଟି ଡୋଜ୍ । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ସେହିପରି ଦ୍ୱିତୀୟ ଭାଗରେ ୨ ବର୍ଷରୁ ୧୧ ବର୍ଷ ଯାଏଁ ପିଲାଙ୍କ ଦେହରେ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ।
ଏହି ବର୍ଗର ଶିଶୁଙ୍କ ଦେହରେ ଟିକା ଡୋଜ୍ର ପରିମାଣ ୫୦ ରୁ ୧୦୦ ମାଇକ୍ରୋଗ୍ରାମ ଯାଏଁ ରହିବ। ପରୀକ୍ଷାମୂଳକ ଟିକା ପାଇଁ କାନାଡା ଏବଂ ଆମେରିକାର ଅନେକ ଶିଶୁଙ୍କୁ ସାମିଲ କରାଯାଇଛି । ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ସହଯୋଗରେ ମଡର୍ଣ୍ଣା ଏହି ଟିକା ପରୀକ୍ଷଣ କରୁଛି।