ବିଜେପିରେ ଯୋଗଦେଲେ ମିଥୁନ୍ ଦା’
ବିଜେପିର ବଙ୍ଗ ମିଶନର ସାରଥୀ ସାଜିବାକୁ ବିଜେପିର ବ୍ରିଗେଡ଼ ରାଲିରେ ପଦ୍ମ ଧରିଲେ ବଲିଉଡ ମେଗାଷ୍ଟାର
କୋଲକାତା: ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’। ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡୁଥିବା ବେଳେ ମିଥୁନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ସତ ପ୍ରମାଣିତ ହୋଇଛି କୋଲକାତାରେ ଆଜି ହେଉଥିବା ମୋଦିଙ୍କ ବିରାଟ ସମାବେଶ ଅବସରରେ ସେ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ବ୍ରିଗେଡ୍ ଗ୍ରାଉଣ୍ଡ୍ ରାଲିରେ ମୋଦି ପହଞ୍ଚିବା ପୂର୍ବରୁ ପଦ୍ମ ଧରିଛନ୍ତି ଅଭିନେତା ତଥା ଟିଏମ୍ସିର ପୂର୍ବତନ ରାଜ୍ୟସଭା ସାଂସଦ । ତେବେ ପଦ୍ମ ପୋଖରୀକୁ ଲମ୍ପ ପ୍ରଦାନ କରିବା ପରେ ଦାଦା ଦଳୀୟ ପତାକା ଧରିଥିବା ଦେଖିବାକୁ ମିଳିଛି।
ମିଥୁନ ଚକ୍ରବର୍ତ୍ତୀ କଳା ଚଷମା ଏବଂ କଳା ଟୋପି ପିନ୍ଧି ଯେତେବେଳେ ପହଞ୍ଚିଥିଲେ, ସେତେବେଳେ ସାଧାରଣ ଜନତାଙ୍କ କରତାଳିରେ ମଞ୍ଚ ଫାଟିପଡ଼ିଥିଲା। ବିଜେପି କର୍ମୀମାନେ ଉତ୍ସାହିତ ହୋଇପଡ଼ିଥିଲେ। ସେ ମଞ୍ଚରେ କୈଲାଶ ବିଜୟବର୍ଗୟଙ୍କ ନିକଟରେ ବସିଥିଲେ। ପରେ ତାଙ୍କୁ ଦଳରେ ସାମିଲ କରିବାର ଔପଚାରିକତା ଶେଷ ହୋଇଥିଲା। ବିଜେପି ନେତାମାନେ ମିଥୁନ୍ ଦାଙ୍କୁ ଦଳର ଅଙ୍ଗବସ୍ତ୍ର ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ତେବେଏହି ଅବସରରେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ‘ଭାରତ ମାତାକି ଜୟ’ ଓ ‘ଜୟ ଶ୍ରୀରାମ୍’ ସ୍ଲୋଗାନ୍ ଦେଇଛନ୍ତି ମିଥୁନ୍ ।
ପଶ୍ଚିମବଙ୍ଗ ନିର୍ବାଚନରେ ଦିଦିଙ୍କୁ ମାତ ଦେବାକୁ ରାଜ୍ୟର ବରିଷ୍ଠ ନେତା ତଥା ଅଭିନେତାମାନଙ୍କୁ ନିଜ ପକ୍ଷକୁ ଆଣି ଗେରୁଆ ଦଳ ନିଜର ଶକ୍ତି ବୃଦ୍ଧି କରୁଛି। ପଶ୍ଚିମବଙ୍ଗର ବହୁ ଅଭିନେତା ଅଭିନେତ୍ରୀ ବିଜେପି ଓ ଟିଏମସିରେ ଯୋଗ ଦେଉଛନ୍ତି । ମିଥୁନଙ୍କୁ ସାମିଲ କରିବାକୁ ବିଜେପି ବହୁ ଚେଷ୍ଟା କରିଥିଲା, ସେଥିରେ ଦଳ ସଫଳ ହୋଇଛି । ଆଉ କିଛି ଅଭିନେତା, ଅଭିନେତ୍ରୀ, ଟିଏମସିର ନେତା ବିଜେପିରେ ମିଶି ପାରନ୍ତି ବୋଲି ଆକଳନ କରାଯାଉଛି। ସେପଟେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଗୁଡ଼ିରେ ପଦଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି ।
#ବିଜେପିରେ_ମିଶିଲେ_ମିଥୁନ୍
ବିଜେପିରେ ସାମିଲ ହେଲେ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ । କୋଲକାତା ବ୍ରିଗେଡ୍ ପଡ଼ିଆରେ ବଡ଼ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ୍। #MithunChakraborty #BJP #WestBengal pic.twitter.com/BwrPg0uqY5— ଓଟିଭି (@otvkhabar) March 7, 2021
୭୦ ବର୍ଷୀୟ ବଲିଉଡ ଆକ୍ଟର ମିଥୁନ୍ ଚକ୍ରବର୍ତ୍ତୀଙ୍କର ପଶ୍ଚିମବଙ୍ଗରେ ଜବରଦସ୍ତ ଫଲୋଅର୍ସ ଅଛନ୍ତି। ବିଶେଷକରି ୨୦୦୬ରେ ଫିଲ୍ମ MLA Fatakeshto ରିଲିଜ ହେବା ପରେ ତାଙ୍କର ବହୁ ଫଲୋଅର୍ସ ବଢି ଯାଇଛନ୍ତି। ଫିଲ୍ମର ଗୋଟିଏ ଡାଇଲଗ୍ ‘ମର୍ଦୋ ଏକେନ, ଲଶ ପୋରବାୟ ଶୋଶନେୟ’ ଅର୍ଥାତ୍ ‘ଏଠି ମାରିବି, ଶ୍ମଶାନ ଘାଟରେ ପହଞ୍ଚିଯିବ’ ବେଶ ଲୋକପ୍ରିୟ ହୋଇଥିଲା । ତେବେ ମିଥୁନ୍ ଦାଙ୍କ ଫଲୋଅର୍ସ ବିଜେପି ପାଇଁ ଭୋଟ ଗୋଟାଇବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି।
ବିଜେପିରେ ଯୋଗଦେଲେ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ : ମୋଦିଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ବିଜେପିରେ ପଦ୍ମ ଧରିଲେ ବଲିଉଡ ଅଭିନେତା, ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜପିରେ ମିଶିଛନ୍ତି ମିଥୁନ#MithunChakraborty #BJP
PIC-ANI pic.twitter.com/3uBoftJrXY
— ଓଟିଭି (@otvkhabar) March 7, 2021
ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ଥିଲେ ମିଥୁନ ଦା’ । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମ ବଙ୍ଗରେ ଶାସକ ମମତା ବାନାର୍ଜୀଙ୍କ ପାର୍ଟିରୁ ରାଜ୍ୟସଭା ସଦସ୍ୟ ଥିଲେ। ମିଥୁନ ଚକ୍ରବର୍ତ୍ତୀ ୨ ବର୍ଷ ପାଇଁ ରାଜ୍ୟସଭା ସାଂସଦ ରହିବା ପରେ ପଦ ଛାଡ଼ି ଦେଇଥିଲେ। ଶାରଦା ଚିଟ୍ ଫଣ୍ଡ ମାମଲାରେ ଇଡ଼ି ତାଙ୍କୁ ପଚରାଉଚରା କରିଥିଲା। ଏକ ଟିଭି ନ୍ୟୁଜ ଚାନେଲର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ସେ ୧.୨ କୋଟି ଟଙ୍କା ନେଇଥିଲେ। ପଚରାଉଚରା ପରେ ମିଥୁନ ଏହି ଟଙ୍କା ଫେରାଇ ଦେଇଥିଲେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।