• translate
Sarbeswar
  • ଚୀନରେ ଅକଥନୀୟ ନିର୍ଯାତନା ସହୁଛନ୍ତି ସଂଖ୍ୟାଲଘୁ ଉଇଗର୍!
  • କ୍ୟାଂପରେ ଅଟକ ରଖି ଦିଆଯାଉଛି ଶାରିରୀକ ଓ ମାନସିକ ନିର୍ଯାତନା!
  • ଶିକ୍ଷା ଓ ପ୍ରଶିକ୍ଷଣ ନାଁରେ ଚାଲିଛି ମାନବିକତାର ହତ୍ୟା!
  • ଚୀନ୍ର ଉଇଗର୍ ସତ ପଦାକୁ ଆସିବା ପରେ ବିଶ୍ୱରେ ଉଦବେଗ

ନୂଆଦିଲ୍ଲୀ: ସବୁବେଳେ ଚୀନର ଆଖି ପଡ଼ୋଶୀ ଉପରେ। ଭାରତ ଭଳି ପଡ଼ୋଶୀ ରାଷ୍ଟ୍ରର ମାଟି କବଜା କରିବା ଉଦ୍ୟମ ହେଉ, କି ତାଇଓ୍ୱାନ୍ ଭଳି ଦେଶକୁ ନିଜର ବୋଲି ଦାବି କରିବା ତେବେ ଜାଣିଛନ୍ତି କି? ଚୀନ୍ ନିଜ ଦେଶର ନାଗରିକଙ୍କ ଉପରେ କିଭଳି ଅତ୍ୟାଚାର କରେ? କେବଳ ଧର୍ମ, ଭାଷା ଓ ସଂସ୍କୃତି ଭିନ୍ନ ବୋଲି ଉଇଗୁର୍ ମୁସଲିମ୍ ମାନଙ୍କୁ ଚୀନରେ କେତେ ଯେ ନିର୍ଯାତନା ସହିବାକୁ ପଡ଼ୁଛି, ଜାଣିଲେ ଦେହ ଶୀତେଇ ଉଠିବ। ସେମାନେ କାଳେ ଚୀନଠୁ ଅଲଗା ହେବାକୁ ଦାବି କରିବେ, ସେଇ ଭୟରେ ପୁରା ଗୋଟିଏ ସଂପ୍ରଦାୟକୁ ଚୀନ୍ ସରକାର ମୂଳପୋଛ କରିଦେବା ଲକ୍ଷ୍ୟରେ ଥିବା ଆଶଙ୍କା କରାଯାଉଛି।

ସାଟେଲାଇଟ ଚିତ୍ରକୁ ଆପଣ ଦେଖିଲେ ସମସ୍ତ ତଥ୍ୟ ଜାଣିପାରିବେ। ମାଳ ମାଳ ସୁଉଚ୍ଚ ଅଟ୍ଟାଳିକା ଦେଖିଲେ ଲାଗୁଛି ସ୍କୁଲ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନ ହୋଇଥିବ। ହେଲେ ଆପଣ ଜାଣିଲେ ଚକିତ ହେବେ, ଏହା ଭିତରେ ଲୁଚି ରହିଛି ମାନବିକତାକୁ ଲଜ୍ଜିତ କଲା ଭଳି ସତ। ସିନଜଆଙ୍ଗ୍‌ ପ୍ରଦେଶରେ ଥିବା ଏହି ଅଟ୍ଟାଳିକାଗୁଡିକ ହେଉଛି ଚୀନ୍ ଉଇଗୁର ମୁଲସମାନଙ୍କ ଲାଗି ନିର୍ମାଣ ହୋଇଥିବା କାଳ କୋଠରୀ। ଶିକ୍ଷା ଓ ପ୍ରଶିକ୍ଷଣ ନାଁରେ ଏଠାରେ ଚାଲିଛି ମାନବିକତାର ହତ୍ୟା। ଶହ କି ହଜାରରେ ନୁହେଁ ବରଂ ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ଏଠାରେ ଚୀନ୍ ବେଆଇନ ଭାବେ ଅଟକ ରଖିଥିବା ଅଭିଯୋଗ ହେଉଛି।

ଏହି ଲୋକମାନଙ୍କର ଏକମାତ୍ର ଦୋଷ, ଏମାନେ ହେଉଛନ୍ତି ଇସଲାମୀୟ ଧର୍ମାବଲମ୍ବୀ। ଏମାନଙ୍କର ସ୍ୱତନ୍ତ୍ର ପରମ୍ପରା ରହିଛି ଓ ଏମାନେ ସ୍ୱତନ୍ତ୍ର ଭାଷା ବି କୁହନ୍ତି। ଯାହାର ଚୀନି ଭାଷା ଓ ସଂସ୍କୃତି ସହ କୌଣସି ସାମଞ୍ଜସ୍ୟ ରଖେ ନାହିଁ। ତେଣୁ କାଳେ ଏମାନେ ଚୀନ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ, ଚୀନ୍ ଠାରୁ ପୃଥକ ହେବାକୁ ଉଦ୍ୟମ କରିବେ, ସେଇ ଆଶଙ୍କାରେ ଏମାନଙ୍କ ଧର୍ମୀୟ ଭାବନା, ପରମ୍ପରା ଓ ସଂସ୍କୃତିକୁ ସମୂଳେ ନାଶ କରିଦେବାକୁ ଷଡ଼ଯନ୍ତ୍ର ଚଳାଇଛି ସି ଜିନପିଙ୍ଗ୍‌ ପ୍ରଶାସନ। ସେଥିଲାଗି ଏମାନଙ୍କୁ ନାଜି କ୍ୟାମ୍ପ ଭଳି ଶିବିରରେ ଅଟକ ରଖି ଦିଆଯାଉଛି।

ଅକଥନୀୟ ଶାରିରୀକ ଓ ମାନସିକ ନିର୍ଯାତନା ଶିକ୍ଷା ଓ ପ୍ରଶିକ୍ଷଣ ନାଁରେ ଧର୍ମ ଓ ଭାଷା ପରିବର୍ତ୍ତନ ଲାଗି ରୀତିମତ ଚାଲିଛି ମାଇଣ୍ଡ୍ଓ୍ୱାସ୍ ।ଉଇଗରଙ୍କୁ ସଂଖ୍ୟା ବୃଦ୍ଧି ରୋକିବାକୁ ମହିଳାମାନଙ୍କର କରାଯାଉଛି ବଳପୂର୍ବକ ଗର୍ଭନିରୋଧ ଅସ୍ତ୍ରୋପଚାର। କ୍ୟାମ୍ପରୁ ଶହ ଶହ ପରିବାର ନିଖୋଜ ହୋଇଯାଇଥିବା ଅଭିଯୋଗ ବି ଉଠୁଛି।

ପ୍ରଦେଶର ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ଚୀନ୍ ଚଳାଇଥିବା ଅତ୍ୟାଚାରର ଭିଡିଓ ଓ ଫଟୋ ଲିକ୍ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ସାରା ବିଶ୍ୱରୁ ଉଠୁଛି ପ୍ରତିବାଦର ସ୍ୱର। ଜୀଉଙ୍କ ସମୂହ ହତ୍ୟା ଲାଗି ହିଟଲର୍‌ ଜର୍ମାନୀରେ ନିର୍ମାଣ କରିଥିବା କନ୍ସେଣ୍ଟ୍ରେସନ୍ କ୍ୟାମ୍ପ ପରେ, ଏହା ଇତିହାସର ଆଉ ଏକ କଳା ଅଧ୍ୟାୟ ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଉଛି। ତେବେ ଏସବୁ ବେଆଇନ ଶିବିରକୁ ଯିବା ଲାଗି କୌଣସି ଅନ୍ତର୍ଜାତୀୟ ସାମ୍ବାଦିକ କିମ୍ବା ଅନୁଷ୍ଠାନକୁ ଅନୁମତି ଦିଆଯାଉନି। ଯଦି ବି ଦିଆଯାଉଛି ଚୀନ ସରକାର କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଭେଟିବାକୁ ଅନୁମତି ଦେଉଥିବା ବେଳେ କ୍ୟାମ୍ପର କେବଳ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଦେଖାଉଛନ୍ତି। ଅନ୍ୟପକ୍ଷରେ ଦଣ୍ଡିତ ହେବା ଭୟରେ କ୍ୟାମ୍ପର ଅନ୍ତେବାସୀ ବି ମୁହଁ ଖୋଲୁନଥିବା ବେଳେ, ଚୀନି ଅଧିକାରୀମାନେ ଯାହା କହିବାକୁ ନିର୍ଦ୍ଦେଶ ଦେଉଛନ୍ତି ସେମାନେ ତାକୁ ଦୋହରାଉଥିବା ଅଭିଯୋଗ ହୋଇଆସୁଛି। ତେବେ ଚୀନ ସରକାର ବାରମ୍ବାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି।

ଉଇଗୁର ମୁସଲିମଙ୍କ ଉପରେ ଚୀନ୍ ଚଳାଇଥିବା ଅତ୍ୟାଚାର ପୁରା ମାନବିକତାକୁ ଦୋହଲାଇ ଦେବ ବୋଲି ଏହାର ରିପୋର୍ଟରେ କହିଛି। ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଆତଙ୍କବାଦ ବିରୋଧୀ ଅଭିଯାନ ନାଁରେ ଚୀନ୍ ବିଧିବଦ୍ଧ ଭାବେ ଉଇଗୁର ମୁସଲିମଙ୍କୁ ଟାର୍ଗେଟ କରୁଥିବା ରିପୋର୍ଟରେ କୁହାଯାଇଛି। ଇସଲାମ୍ ସଂପ୍ରଦାୟଙ୍କୁ ମୂଳପୋଛ କରିଦେବା ଲକ୍ଷ୍ୟରେ ଚୀନ୍ ଏଭଳି ଦମନଲୀଳା ଚଳାଇଛି। ଧାର୍ମିକ ବିଶ୍ୱାସ, ପରମ୍ପରା ଓ ଭାଷା ପରିବର୍ତ୍ତନ କରିବାକୁ ଉଇଗୁରୀଙ୍କୁ ବାଧ୍ୟ କରାଯାଉଛି। ଶାରିରୀକ ଓ ମାନସିକ ନିର୍ଯାତନାକୁ ନେଇ ଲକ୍ଷ ଲକ୍ଷ ଲୋକ ଭୟ ଓ ଆତଙ୍କରେ ଦିନ କାଟୁଥିବା କହିଛି ଆମ୍ନେଷ୍ଟି ସିନଆଙ୍ଗ୍‌ ପ୍ରଦେଶର ବିଭିନ୍ନ କ୍ୟାମ୍ପରେ ରହି, ପରେ ମୁକ୍ତି ପାଇଥିବା ଲୋକଙ୍କ ଅଙ୍ଗେ ନିଭା ସତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ଚୀନ୍ ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛି।

Other Stories