‘କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରୁଛନ୍ତି ମମତା ବାନାର୍ଜୀ’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ‌ ସହିତ ତୁଳନା କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ନିଜର ମତ ରଖୁଥିବା ବେଳେ ମମତାଙ୍କୁ କିମ୍‌ଙ୍କ ସହିତ ତୁଳନା କରିଛନ୍ତି ଗିରିରାଜ। ସେ କହିଛନ୍ତି, ମମତା ବାନାର୍ଜୀ ସମସ୍ତ ମର୍ଯ୍ୟାଦା ବାଙ୍ଗି ଦେଇଛନ୍ତି। ସେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରିଛନ୍ତି। ଯିଏ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲା ତାକୁ ମାରିଦିଅ। କିନ୍ତୁ ଏହା ଆମେ କରିବୁ ନାହିଁ। ମମତା ଠିକ୍ ଏଭଳି ବ୍ୟବହାର କରୁଛନ୍ତି। ତାଙ୍କ କଥା ସମ୍ପୂର୍ଣ୍ଣ ଅଲଗା ଓ ସେ ଭାରତର ଫେଡେରାଲ୍‌ ଷ୍ଟ୍ରକ୍‌ଚର୍‌କୁ ଭାଙ୍ଗି ଦେଇଛନ୍ତି ବୋଲି କହିଛନ୍ତି ଗିରିରାଜ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ଭୁଲିଯାଉଛନ୍ତି ଯେ ସେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ। ତାଙ୍କୁ ବୋଧହୁଏ ଜଣା ନାହିଁ ଯେ ଫେଡେରାଲ୍‌ ଷ୍ଟ୍ରକଚର୍‌ରେ ରାଜ୍ୟ ସରକାରର ସୀମା କେନ୍ଦ୍ର ସରକାରଙ୍କ ସହିତ ମିଶି କାମ କରିବାକୁ ହୋଇଥାଏ। ସେ ନିଜକୁ ବୋଧହୁଏ ଭାରତର ପ୍ରଧାନମନ୍ତ୍ରୀ ବୋଲି ଭାବୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଗିରିରାଜ।

ପ୍ରକାଶ ଥାଉକି, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌କୁ ଏକଦମ୍‌ ଶୂନ ମାର୍କ ଦେଇଥିଲେ ମମତା। ଏଥିରେ ସାଧାରଣ ଲୋକ ଓ କୃଷକଙ୍କ ପାଇଁ କିଛି ନାହିଁ ବୋଲି କହିଥିଲେ ମମତା।

ସରକାରଙ୍କୁ ଟାର୍ଗେଟ୍‌ କରି ମମତା କହିଥିଲେ, ଲୋକମାନଙ୍କର ଆଶାଥିଲା ଯେ କରୋନା ଭଳି ବିପଦ ସମୟରେ ପ୍ରଧାନମନ୍ତ୍ରୀ କିଛି ଦେବେ। କିନ୍ତୁ ସେମାନଙ୍କ ସହିତ ଛଳନା କରାଗଲା। କିଛି ମିଳିଲା ନାହିଁ। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷର ଆର୍ଥି ପ୍ୟାକେଜ୍‌ ଏକ ଛଳନା ଥିଲା ବୋଲି କହିଥିଲେ ମମତା।

ତେବେ କେବଳ ମମତା ନୁହଁନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଗିରିରାଜ। କଂଗ୍ରେସ କରୋନାକୁ ନେଇ ରାଜନୀତି କରିଥିବା ଅଭିଯୋଗ କରି ରାହୁଲ୍‌ଙ୍କର ଫସଲ ଚିହ୍ନବାର କ୍ଷମତା ନାହିଁ ବୋଲି କହିଛନ୍ତି ଗିରିରାଜ।
ସୂଚନା ଥାଉକି, ୨୦ ଲକ୍ଷ କୋଟିର ପ୍ୟାକେଜ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ରାହୁଲ। ଏହାଦ୍ୱାରା କୃଷକ ଓ ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉନି। ତେଣୁ ଏହି ପ୍ୟାକେଜ୍‌ ଉପରେ ସରକାର ପୁନର୍ବାର ବିଚାର କରିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ରାହୁଲ୍।

You might also like