କୋଟିପତି ମହିଳା ଭିକାରୀ: ୫ଟି ଘରର ମାଲିକାଣୀ, ବ୍ୟାଙ୍କ୍‌ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା

କାଇରୋ: ଆପଣ କେବେ ଭାବି ପାରିବେ ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବେ।  ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ରହିଛି।

gulfnews.com ରିପୋର୍ଟ ଅନୁସାରେ, ବ୍ୟାଙ୍କରେ ପ୍ରାୟ ଦେଢ କୋଟି ଟଙ୍କା ଥିବା ଏହି ମହିଳା ଭିକାରୀଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଛି।

ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ହ୍ୱିଲ୍‌ ଚେୟାର ଉପରେ ବସି ଇଜିପ୍ଟର ବହୁ ରାଜ୍ୟକୁ ବୁଲି ବୁଲି  ଭିକ୍ଷା ମାଗୁଥିଲେ। ଏମିତି ଭାବରେ ସେ ହ୍ୱିଲ୍‌ ଚେୟାରରେ ବସୁଥିଲେ, ଯେମିତି ସମସ୍ତଙ୍କୁ ଲାଗିବ ତାଙ୍କ ପାଦ କଟି ଯାଇଛି। ଭିକ୍ଷା ମାଗିବା ସମୟରେ ସେ ହ୍ୱିଲ୍‌ ଚେୟାରରେ ବସି ରହୁ ଥିବାବେଳେ ବାକି ସମୟ ସେ ପାଦରେ ଚାଲୁଥିଲେ।

ହେଲେ ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି, ସେ ଭିକ୍ଷା ମାଗି ସାରିବା ପରେ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଜଣେ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ପାଦରେ ଚାଲି ଚାଲି ଯାଉଥିବା ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ମହିଳାଙ୍କୁ କୌଣସି ରୋଗ ହୋଇନାହିଁ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି।

You might also like