ପଶି ଆସିଲେ ହଜାର ହଜାର ଦୁର୍ଗନ୍ଧଯୁକ୍ତ ପୋକ, ଘର ଛାଡ଼ି ପଳାଇଲେ ପରିବାର ଲୋକେ

ବ୍ୟାଙ୍କକଂ: ଗତକିଛି ଦିନ ତଳେ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଝିଣ୍ଟିକା ଯୋଗୁ ଲକ୍ଷାଧିକ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ଆଉ ଏକ ପୋକ  ଥାଇଲାଣ୍ଡରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ଦୁଃଖର କଥା ହେଉଛି, ଏହି ପୋକ ଏତେ ଦୁର୍ଗନ୍ଧମୟ ଯେ, ଲୋକମାନେ ଅତିଷ୍ଠ  ହୋଇ ପଡ଼ୁଛନ୍ତି। ଏମାନେ ଫସଲ ଉପରେ ନୁହେଁ, ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଏମାନଙ୍କ ଉତ୍ପାତ ସହି ନ ପାରି ଗୋଟିଏ ପରିବାର ନିଜ ଘର ଛାଡ଼ି ପଳାଇଥିବା ଜଣାଯାଇଛି।

ଥାଇଲାଣ୍ଡର ଉଥାଇ ଥାନୀ ପ୍ରାନ୍ତରେ ରହୁଥିବା ଜଣେ ବ୍ୟକ୍ତଙ୍କ ଘରର ଏକ କଣରେ ଏହି ପୋକ ବସା ବାନ୍ଧିଥିଲେ। କ୍ରମଶ ଶହ ଶହ ସଂଖ୍ୟାରେ ମାଡି ଆସିଲେ। ଛାତର କୋଣ, କବାଟ, ଝରକା ସବୁଆଡେ ଛାଇଗଲେ ପୋକ। ଚାହୁଁ ଚାହୁଁ ଘର ଭିତରେ ହଜାର ହଜାର ସଂଖ୍ୟାର ପୋକ  ହାଉଯାଉ ହେଲେ। ଏତେ ସଂଖ୍ୟକ ପୋକ ଦେଖି ପରିବାର ‌ଲୋକେ ଡରିଗଲେ। ସମାନେ ରାତିରେ ଘରକୁ ପଶିଲେ ନାହିଁ। ଏହି ପୋକ ଶରୀରରୁ ଏତେ ଦୁର୍ଗନ୍ଧ ବାହାରୁଥିଲା ଯେ ପରିବାର ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ। ଫଳରେ ସେମାନେ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ।

ସ୍ଥାନୀୟ ମିଡିଆରୁ ମିଳିଥିବା ସୂଚନା ଅନୁଯାୟୀ, ଥାଇଲାଣ୍ଡରେ ମୌସୁମୀ ଆସିଗଲାଣି।  ରବିବାର ରାତିରେ ଏଠାରେ ଖୁବ୍‌ ବର୍ଷା ହୋଇଥିଲା। ଏହା ପରେ ଏହି ପୋକ ଘର ଭିତରକୁ ପଶି ଆସିଥିଲେ। ସୂଚନା ଥାଉ କି, ଗତବର୍ଷ ଭାରତ, ପାକିସ୍ତାନ ଏବଂ ପୂର୍ବ ଆଫ୍ରିକା ଦେଶରେ ଝିଣ୍ଟିକା ଚାଷୀଙ୍କ ଦୁଃଖ ବଢାଇ ଦେଇଥିଲେ। ପାକିସ୍ତାନରେ ଏହି ଝିଣ୍ଟିକା ଏମିତି ଆତଙ୍କ ସୃଷ୍ଟି କରିଥିଲା ଯେ, ଚୀନ ଓ ଭାରତର ସହଯୋଗ ମାଗିଥିଲା ପାକିସ୍ତାନ। ଭାରତରେ ରାଜସ୍ଥାନର ୧୦ ଜିଲ୍ଲାର ୩.୬ ଲକ୍ଷ ହେକ୍ଟର ଫସଲ ଏଥିଯୋଗୁ ନଷ୍ଟ ହୋଇ ଯାଇଥିଲା।

 

You might also like