ଜନ୍ମଦିନରେ ଉଲଗ୍ନ ହୋଇ ଦୌଡ଼ିଲେ ବଲିଉଡ୍‌ ଅଭିନେତା; ଥାନାରେ ମାମଲା ରୁଜୁ

ପାଣାଜୀ: ନିଜ ଜନ୍ମଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ିଥିବାରୁ ବଲିଉଡ୍ ଅଭିନେତା ମିଲିନ୍ଦ ସୁମନଙ୍କ ନାରେ ଥାନାରେ ମାମଲା ରୁଜୁ। ଆଇପିସି ଧାରା ୨୯୪(ଅଶ୍ଳିଳ କାର୍ଯ୍ୟ ଏବଂ ଗୀତ) ଏବଂ ଆଇଟି ଆକ୍ଟ ଧାରା ୬୭(ଇଲେକ୍ଟ୍ରୋନିକ ଉପକରଣ ମାଧ୍ୟମରେ ଅଶ୍ଲୀଳତା ପ୍ରଚାର ଦଣ୍ଡବିଧାନ) ମିଲିନ୍ଦ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ସୋସିଆଲ୍‌ ମିଡିଆରେ ଅଶ୍ଳିଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁକୁ ନେଇ ଗୋଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମିଲିନ୍ଦ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ୁଥିବା ଫଟୋ ସୋସିଆଲ୍‌ ମିଡିଆରେ ଛାଡ଼ି ଅଶ୍ଳିଳତାର ପ୍ରଚାର କରିଥିଲେ। ଏହି ଅଭିଯୋଗରେ ପୋଲିସ ଗୁରୁବାର ତାଙ୍କୁ ଗିରଫ କରିଛି ବୋଲି ଦକ୍ଷିଣ ଗୋଆ ପୋଲିସର ଏସ୍‌ପି ପଙ୍କଜ କୁମାର ସିଂହ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ଆଇପିସି ଧାରା ୨୯୪ ଓ ଆଇଟି ଆକ୍ଟ ୬୭ ଲାଗି କୋଲ୍‌ଭା ଥାନାରେ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି। ସୁରକ୍ଷା ମଞ୍ଚ ନାମକ ଏକ ସଂଗଠନ ପକ୍ଷରୁ ମିଲିନ୍ଦଙ୍କ ଏ ନେଇ ବିରୋଧରେ ଅଭିଯୋଗ କରାଯାଇଥିଲା।

କଣ ଥିଲା ଘଟଣା—

ମିଲିନ୍ଦ ସୁମନଙ୍କ ୫୫ ତମ ଜନ୍ମଦିନ ପାଳନ କରିବା ପାଇଁ ସେ ଓ ତାଙ୍କ ପତ୍ନୀ ଗୋଆ ଯାଇଥିଲେ। ସେଠାରେ ମିଲିନ୍ଦ ଗୋଆ ବିଚ୍‌ରେ ଉଲଗ୍ନ ହୋଇ ଦୌଡ଼ୁଥିବା ବେଳେ ତାଙ୍କ ପତ୍ନୀ ଅଙ୍କିତା କୋନୱାର ଏହି ଫଟୋ ଉଠାଇଥିଲେ। ଏହାପରେ ଫଟୋକୁ ମିଲିନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିଜକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ ହ୍ୟାପି ବାର୍ଥ ଡେ ଟୁ ମି। ଏହାପରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଅଭିନେତ୍ରୀ ତଥା ମଡେଲ୍ ପୁନମ୍‌ ପାଣ୍ଡେ ଓ ତାଙ୍କ ସ୍ୱାମୀ ସ୍ୟାମ ବମ୍ବେ ମଧ୍ୟ ଗୋଆରେ ଅଶ୍ଲୀଳ ଭିଡିଓ ଶୁଟ୍‌ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ୨୦ ହଜାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି।

You might also like