ରେଲୱେର ଗାଇଡଲାଇନ୍‌: ଟ୍ରେନ୍‌ରେ ଆସିବେ ଅଧିକ ପ୍ରବାସୀ, ହେବ ୩ଟି ଷ୍ଟପେଜ

ନୂଆଦିଲ୍ଲୀ: ରାଜ୍ୟ ବାହାରେ ରହି କାମ କରୁଥିବା ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରେଲୱେ ପକ୍ଷରୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି। ଏ ନେଇ ରେଲୱେର ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ସ୍ଲିପର ବର୍ଥର ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ।

ପୂର୍ବରୁ ୭୨ଟି ସିଟ୍‌ରେ ୫୪ ଯାତ୍ରୀଙ୍କୁ ଅନୁମତି ଦିଆଯାଉଥିଲା । ପୂର୍ବରୁ ୧୨୦୦ ପ୍ରବାସୀଙ୍କୁ ଯାତ୍ରା ଅନୁମତି ମିଳୁଥିଲା । ହେଲେ ଏବେ ୧୭ଶହ ପର୍ଯ୍ୟନ୍ତ ପ୍ରବାସୀ ଯାତ୍ରା କରିପାରିବେ।  ଚୂଡାନ୍ତ ଗନ୍ତବ୍ୟସ୍ଥଳକୁ ଯାଉଥିବା ରାଜ୍ୟର ତିନିଟି ଷ୍ଟପେଜରେ ରହିବ ସ୍ପେଶାଲ ଟ୍ରେନ ।

ସୂଚନା ଥାଉ କି, ଏହା ପୂର୍ବରୁ ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ସ୍ପେଶାଲ ଟ୍ରେନ୍‌ର ଯାତ୍ରା ମଝିରେ କୌଣସି ଷ୍ଟପେଜ୍‌ ନ ଥିଲା। ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ରେଳ ମନ୍ତ୍ରଣାଳୟ ଏଭଳି ପରିବର୍ତ୍ତନ କରିଛି।

ସୂଚନାଥାଉ କି, ପ୍ରବାସୀଙ୍କୁ ନେବା ପାଇଁ ସ୍ପେଶାଲ ଶ୍ରମିକ ଟ୍ରେନ ଚଳାଚଳ କରୁଛି। ଏଥିରେ ୨୪ଟି ବଗି ରହିଥିବା ବେଳେ ପ୍ରତିଟି କୋଚରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ଏବେ କରୋନାର ସାମାଜିକ ଦୂରତା ପାଇଁ ପ୍ରତି କୋଚରେ ୫୪ ଜଣ ପ୍ରବାସୀ ଯାଇପାରିବାର ନିୟମ ରହିଥିଲା।

ମେ’ ୧ରୁ ରେଳ ମନ୍ତ୍ରଣାଳୟ ପ୍ରାୟ ୫ ଲକ୍ଷ ପ୍ରବାସୀଙ୍କୁ ବିଭିନ୍ନ ରାଜ୍ୟକୁ ଟ୍ରେନ ଯୋଗେ ପଠାଇ ସାରିଲାଣି। ଆହୁରି ଲକ୍ଷଲକ୍ଷ ପ୍ରବାସୀ ଅଟକି ରହିଥିବାରୁ ସେମାନଙ୍କ ଶୀଘ୍ର ଆଗମନ ପାଇଁ ରାଜ୍ୟଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଟ୍ରେନ ଚଳାଚଳ କରିବାକୁ ଅନୁମତି ମାଗିଥିଲେ। ଏହି ଅନୁରୋଧକ୍ରମେ ରେଳ ମନ୍ତ୍ରଣାଳୟ ପୂର୍ଣ୍ଣ କ୍ଷମତାର ସହ ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛି।

You might also like