ସନ୍ଦେହଜନକ ଅବସ୍ଥାରେ କୂଅରୁ ମିଳିଲା ୯ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନର ୱାରାଙ୍ଗାଲ ରୁରାଲ ଜିଲ୍ଲାର ଏକ  କୂଅ ମଧ୍ୟରୁ ୯ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଅନ୍ୟଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି।

ପୋଲିସ ଗୁରୁବାର ଦିନ ୪ଟି ମୃତଦେହ  ଉଦ୍ଧାର କରିଥିଲା। ଅନ୍ୟ ୫ଟି ଶବ ଶୁକ୍ରବାର ପାଇଥିଲା। ଉଦ୍ଧାରକାରୀ ପୋଲିସ ଟିମ୍‌ଙ୍କ କହିବା ଅନୁଯାୟୀ, ଶବ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ଏ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି ୱାରଙ୍ଗଲ ପୋଲିସ ଅଧିକାରୀ ଭି. ରବିନ୍ଦର କହିଛନ୍ତି।

ଶବ ଉଦ୍ଧାର କରାଯିବା ପରେ ଉକ୍ତ କୂଅର ପାଣି କଢାଯାଇ ସଫା କରଯାଇଛି। ୯ ମୃତକଙ୍କ ମଧ୍ୟରୁ ୭ ଜଣ ଶ୍ରମିକ ଏବଂ ସେମାନେ ଏକ ବ୍ୟାଗ ସିଲେଇ କେନ୍ଦ୍ରରେ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ତିନିବର୍ଷର ଝିଅର ଜନ୍ମଦିନ ଥିଲା ଏବଂ ଏଇ ଅସବରରେ ସମସ୍ତେ ଏକାଠି ରାତ୍ରିଭୋଜନ କରିଥିବା କୁହାଯାଉଛି। ମୃତ ଦେହ ମଧ୍ୟରେ ଏହି ତିନି ବର୍ଷର ଝିଅ ମଧ୍ୟ ରହିଛି।

ମୃତଦେହ ମଧ୍ୟରେ ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି ଯିଏ କି ପରିବାରର ମୁଖ୍ୟ ବୋଲି ଅନୁମାନ କରାଯାଉଛି। ସେ ୨୦ ବର୍ଷ ତଳୁ ପଶ୍ଚିମବଙ୍ଗରୁ ଆସି ଏଠାରେ ରହୁଛନ୍ତି। ସେ ତାଙ୍କ ପରିବାର ସହ ୨ ବଖରା ବିଶିଷ୍ଟ ଏକ ଘରେ ରହୁଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ଏରାବଲି ଡୟାଙ୍କର ରାଓ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ପ୍ରଥମେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଥିଲା। କିନ୍ତୁ ମୃତଦେହରୁ କୌଣସି କ୍ଷତ ଚିହ୍ନ ନ ମିଳିବାରୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ଆସିବା ପରେ ହିଁ ପ୍ରକୃତ କଥା ଜଣାପଡ଼ିବ ବୋଲି ପୋଲିସ କହିଛି।

 

 

You might also like