ଭାରତୀୟ ବାୟୁ ସେନାର ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, କ୍ଷେତରୁ ମିଳିଲା ପାଇଲଟଙ୍କ ମୃତଦେହ

ଚଣ୍ଡୀଗଡ଼: ଭାରତୀୟ ବାୟୁ ସେନାର ମିଗ(MiG) 21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ ପଞ୍ଜାବର ଲଙ୍ଗିୟାନା ନିକଟରେ କ୍ରାଶ ହୋଇଯାଇଥିଲା। ବିମାନଟି କ୍ରାଶ ହୋଇ ଆବାସିକ ଅଞ୍ଚଳରୁ କିଛି ମିଟର ଦୂରରେ ଏକ କ୍ଷେତରେ ଯାଇ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ପାଇଲଟ ଅଭିନବ ଚୌଧୁରୀ ଅଭ୍ୟାସ ପାଇଁ ଇନାୟତପୁରା ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ। ଯେତେବେଳେ ପାଇଲଟ ଅଭିନବ ଇନାୟତପୁରାରୁ ସୁରତଗଡ଼ ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ, ଏହି ସମୟରେ ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି କ୍ରାଶ ହୋଇ ଆବାସିକ ଅଞ୍ଚଳରୁ ୫୦୦ ମିଟର ଦୂରରେ ଏକ କ୍ଷେତରେ ଯାଇ ପଡ଼ିଥିଲା। ଯଦିଓ ଗାଁରେ କିଛି କ୍ଷୟକ୍ଷତି ହୋଇ ନାହିଁ, ହେଲେ ଦୁର୍ଘଟଣାରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି।

କଣ୍ଟ୍ରୋଲ ରୁମରୁ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ୪ ଘଣ୍ଟା ପରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତଦେହ କ୍ଷେତରୁ ମିଳିବା ସହ ବିମାନର ଭଗ୍ନାବଶେଷ ମିଳିଥିଲା। ଅଭିନବ ଜଣେ ଟ୍ରେନି ପାଇଲଟ ଥିଲେ। ସେ ଅଭ୍ୟାସ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

You might also like