ନାଁ ଭୁଲ ପାଇଁ ବେଲ୍‌ ମିଳିଲାନି; ୮ ମାସ ଜେଲ୍‌ ଦଣ୍ଡ ଭୋଗିଲେ ବ୍ୟକ୍ତି

ଲକ୍ଷ୍ନୌ: ବେଲ୍ ଅର୍ଡର୍‌ରେ ନାଁ ଭୁଲ ଥିବାରୁ ୮ ଅଧିକ ଜେଲ୍ ଭୋଗିଲେ ବ୍ୟକ୍ତି। ପ୍ରୟାଗରାଜ ସିଦ୍ଧାର୍ଥନଗର ଜେଲ୍‌ରେ ସଜା କାଟୁଥିବା ଜଣେ ବ୍ୟକ୍ତିଙ୍କର ବେଲ୍ ଅର୍ଡରେ ନାଁର ମଝି ଅଂଶ ଭୁଲ୍‌ ଥିବାରୁ ତାଙ୍କୁ ବେଲ୍‌ ମିଳିଲା ନାହିଁ। ଏହି ଛୋଟିଆ ଭୁଲ୍ ପାଇଁ ଅଧିକ ୮ ମାସ ସଜା ଭୋଗିଲେ କଏଦୀ।

ଗତ ଏପ୍ରିଲ୍‌ରେ ମାସରେ ପ୍ରୟାଗରାଜ ସିଦ୍ଧାର୍ଥନଗର ଜେଲ୍‌ରେ ଥିବା ବିନୋଦ ବରୁଆର୍‌ଙ୍କ ନାଁରେ ବେଲ୍‌ ଅର୍ଡର୍ ଇସୁ ହୋଇଥିଲା।କିନ୍ତୁ ବେଲ୍ ଅର୍ଡର୍‌ରେ ତାଙ୍କ ନାଁ ବିନୋଦ କୁମାର ବରୁଆର ଲେଖାଯାଇଥିଆଲ। ମଝି ନା ଭୁଲ ଥିଲା। ଏଥିପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ତାଙ୍କୁ ବେଲ୍‌ରେ ଛାଡ଼ିବାକୁ ମନା କରିଦେଇଥିଲେ।

ତେବେ ଜେଲ୍‌ କର୍ତ୍ତୃପକ୍ଷଙ୍କର ଏପରି ନିନ୍ଦନୀୟ କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ଅଲ୍ଲାହବାଦ ହାଇକୋର୍ଟ। ଏଥିପାଇଁ ତାଙ୍କୁ ତାଗିଦ୍‌ ମଧ୍ୟ କରିଛନ୍ତି। ଏନେଇ ବିଚାରପତି ଜେଜେ ମୁନୀର କହିଛନ୍ତି “ ଜେଲ୍ କର୍ତ୍ତୃପକ୍ଷଙ୍କର କୋର୍ଟ ବେଲ୍‌ ଅର୍ଡର ନ ମାନିବା ଜିଦ୍ଦିଆ ସ୍ୱଭାବର ଜଣାପଡ଼ୁଛନ୍ତି। ଏପରି କରି ସେ ଜଣେ ନାଗରିକଙ୍କୁ ତାଙ୍କ ସ୍ୱଧୀନତାରୁ ବଞ୍ଚିତ କରିଛନ୍ତି।”

ଖବର ଅନୁସାରେ, ୨୦୨୯ ସେପ୍ଟେମ୍ବର ୪ ତାରିଖରେ ଏକ ସେସନ କୋର୍ଟ ବିନୋଦଙ୍କର ବେଲ୍‌ ଅର୍ଡର କ୍ୟାନସଲ କରି ଦେଇଥିଲେ। ଏହାପରେ ବିନୋଦ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏନେଇ ହାଇକୋର୍ଟ ତାଙ୍କୁ ଚଳିତ ବର୍ଷ ଏପ୍ରିଲ ୯ ତାରିଖରେ ବେଲ୍ ମଞ୍ଜୁର କରିଥିଲେ। କିନ୍ତୁ ବେଲ୍‌ ଅର୍ଡର୍‌ରେ ନାଁ ଭୁଲ୍ ଥିବାରୁ ବିନୋଦ ଏପର୍ଯ୍ୟନ୍ତ ସୁଧା ଜେଲ୍‌ରୁ ମୁକୁଳିପାରି ନାହାଁନ୍ତି।

ବିନୋଦ ବେଲ୍‌ରେ ତାଙ୍କ ନା ସୁଧାରିବାକୁ ଆପ୍ଲିକେସନ୍ ଦେବା ପରେ ଘଟଣା କୋର୍ଟଙ୍କ ସାମ୍ନାକୁ ଆସିଥିଲା। ଏହାପରେ କୋର୍ଟ ଜେଲ୍‌ କର୍ତ୍ତୃପକ୍ଷ ରାକେଶ ସିଂହ ତାଗିଦ୍ କରିଛନ୍ତି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ କାହିଁକି ଦିଆଯିବ ନାହିଁ ବୋଲି କୈଫିୟତ ତେବାକୁ ତାଙ୍କୁ ଡାକିଛନ୍ତି। ଏଥିସହିତ ଭବିଷ୍ୟତରେ ଯେପରି ଏମିତି ଭୁଲ୍ କେବେ ନୁହେଁ ସେ ନେଇ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ।

ଓଡ଼ିଶାରେ ମଧ୍ୟ ଏପରି ଏକ ସାମାନ୍ୟ ତ୍ରୁଟି ଯୋଗୁ ଜଣେ ବ୍ୟକ୍ତିଙ୍କୁ ୮ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିବାକାକୁ ପଡ଼ିଥିଲା। ସେ ହେଲେ କନ୍ଧମାଳର ପ୍ରତାପ ନାୟକ। ଆଇପିସିର ୩୦୨ ଧାରାରେ ଗରିଫ ହୋଇ ପ୍ରତାପ ଜେଲ୍‌ରେ ଥିଲେ।  ଫୁଲବାଣୀ ଜିଲ୍ଲା ଓ ଦୌରା ଜଜ୍ ପ୍ରତାପଙ୍କର ଜେଲ୍‌ ଅବଧି ସରିବା ପରେ ତାଙ୍କୁ ଜେଲ୍‌ରୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କର ଏହି ଅର୍ଡର ଜେଲ୍‌ କର୍ତ୍ତୃପକ୍ଷ ନିକଟରେ ପହଞ୍ଚିବାରେ ତ୍ରୁଟି ଯୋଗୁ ପ୍ରତାପଙ୍କୁ ୧୯୯୪ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ବେଆଇନ୍‌ ଭାବେ ଜେଲ୍‌ରେ ରହିବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ହାଇକୋର୍ଟରେ ଏକ କ୍ଷତିପୂରଣ ମାମଲା ଦାୟର କରିଥିଲେ। ଏହି ମାମଲାର ବିଚାର କରି ଜଷ୍ଟିସ୍ ଅଶୋକ କୁମାର ଗାଙ୍ଗୁଲି ଓ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ୨୦୦୭ ମସିହାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

 

You might also like