ଆସିଲା ଅନ୍ଲକ୍-୩ ; ଉଠିଲା ରାତ୍ରୀକାଳୀନ କର୍ଫ୍ୟୁ
ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖରୁ ଦେଶରେ ଅନ୍ଲକ୍-୩ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଅନ୍ ଲକ୍-୩ ଗାଇଡଲାଇନ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି।
ଗାଇଡ୍ଲାଇନ୍ ଅନୁସାରେ, କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍ଡାଉନ ଲାଗୁ ହେବ। ତେବେ ରାତ୍ରୀକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର। ରାତିରେ ସାଧାରଣ ଲୋକଙ୍କ ଯା-ଆସ ଉପରୁ କଟକଣା ଉଠିଛି। ଫଳରେ ରାତିରେ ବି ସାଧାରଣ ଲୋକ ଯା-ଆସ କରିପାରିବେ। ଗମନାଗମନରେ ସୁବିଧା ହେବ।
ଅଗଷ୍ଟ ୫ରୁ ଯୋଗ ଇନଷ୍ଟିଚ୍ୟୁଟ ଓ ଜିମ୍ନାସିୟମ ଖୋଲିପାରିବ। କୋଭିଡ୍ କଟଣା ପାଳନ କରି ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତା ସହିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ ବୋଲି ଗାଇଡ୍ଲାଇନ୍ କୁହାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମତାମତ କ୍ରମେ ଏହି ଅନ୍ଲକ୍-୩ ଗାଇଡ୍ ପ୍ରସ୍ତୁତ କରାଯାଇଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ତେବେ ସାମାଜିକ ଦୂରତା ବଜାୟ ରଖିବାର ଆବଶ୍ୟକତା ରହିଛି। କରୋନାଠୁ ରକ୍ଷା ପାଇବାକୁ ହେଲେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏଥିପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି।
ଅନଲ୍କ-୩ରେ କଣସବୁ ବନ୍ଦ ରହିବ ଜାଣନ୍ତୁ
୧.ମେଟ୍ରୋ ରେଳ ସେବା
୨. ସିନେମା ହଲ୍
୩. ସୁଇମିଂ ପୁଲ୍
୪. ଥିଏଟର
୫. ବାର୍
୬. ଅଡିଟୋରିୟମ
୭. ଏଣ୍ଟରଟେନ୍ମେଣ୍ଟ ପାର୍କ
ତା ସହିତ ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିନାହିଁ। ପରିସ୍ଥିତି ଦେଖି ଏସବୁ କେବେ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରାଳୟ କହିଛି।
ତେବେ ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଗମନାଗମନ, ମାଲ ପରିବହନକୁ ପୂର୍ବପରି ବଳବତ୍ତର ରଖାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଓ ଅଲଗା ଭାବେ କୌଣସି ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ପାଇଁ କଡ଼ା ନିର୍ଦ୍ଦେଶାବଳି ଜାରି ହୋଇଛି। ତା ସହିତ ବୟସ୍କ, ରୋଗାକ୍ରାନ୍ତ, ଶିଶୁମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ତେବେ ଏଗୁଡ଼ିକ କେବେ ଖୋଲିବ ସନେଇ ରାଜ୍ୟ ସରକାରମାନେ ତାଙ୍କର ପରିସ୍ଥିତି ବିଚାର କରି ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି।
କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ କଡ଼ାକଡ଼ି ପାଳନ ହେବ ଲକ୍ଡାଉନ୍
କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍ଡାଉନ ଲାଗୁ ହେବ। ଗାଇଡ୍ ଅନୁସାରେ, ଜୋନ୍ଗୁଡ଼ିକ କିଭଳି ପୃଥକ ହୋଇ ରହିବ ସେନ ନେଇ ରାଜ୍ୟ ସରକାରଗୁଡ଼ିକ କଡ଼ା ନଜର ରଖିବେ। କଣ୍ଟେନ୍ମେଣ୍ଟ ଜୋନ୍ ମଧ୍ୟରେ, କଡ଼ା କଟକଣା ରଖାଯିବା ସହିତ କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୃକ୍ତ ଜିଲ୍ଲାପାଳଙ୍କ ୱେବସାଇଟରେ ସୂଚିତ କରାଯିବ। ଏବଂ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି।