ପ୍ରବାସୀ ଶ୍ରମିକଙ୍କୁ ଟ୍ରାକ୍‌ କରିବାକୁ ସରକାରଙ୍କ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ରୋଜଗାର ହରାଇ ଘର ବାହୁଡ଼ା କରୁଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟରୁ ହଜାର ହଜାର କିଲୋମିଟର ଚାଲି ଚାଲି ଫେରିବା, ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରାଇବା, କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଫେରାର ହେଉଥିବା ଘଟଣାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି।

ଏହାସହ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ସଂପର୍କରେ ସୂଚନା ରଖିବାକୁ ଗୃହ ମନ୍ତ୍ରାଳୟ ବ୍ୟବସ୍ଥା କରିଛି। ଏଥିଲାଗି ଅନଲାଇନ ପଞ୍ଜୀକରଣ ପାଇଁ ଆପ୍ଲିକେସନ ପ୍ରୋଗ୍ରାମ ଇଣ୍ଟରଫେସ୍ ଡେଭଲପ୍‌ କରାଯାଇଛି।

ଏଥିରେ ରାଜ୍ୟଗୁଡ଼ିକ ପକ୍ଷରୁ ପ୍ରବାସୀଙ୍କ ତଥ୍ୟ ଅପଲୋଡ୍ କରାଯିବ ନାଁ, ବୟସ, ମୋବାଇଲ ନମ୍ବର, କେଉଁ ସ୍ଥାନରୁ ବାହାରୁଛନ୍ତି ଓ କେଉଁ ଜିଲ୍ଲାକୁ ଯିବେ, ଯାତ୍ରା ତାରିଖ ସବୁ ଅପଲୋଡ କରାଯିବ। ଏହାଦ୍ୱାରା କେତେ ଶ୍ରମିକ କେଉଁ ଜାଗାରୁ ଆସୁଛନ୍ତି ତାହା ଜଣାପଡ଼ିବ।

ମୋବାଇଲ ନମ୍ବର ରହିବା ଫଳରେ କଣ୍ଟା ଟ୍ରେସିଂ ମଧ୍ୟ ସହଜ ହେବ ବୋଲି କୁହାଯାଇଛି। ଏହାଛଡ଼ା ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ଗୋଟିଏ ଗୋଟିଏ ଆଇଡି ଖୋଲାଯିବ। ଏହି ବ୍ୟବସ୍ଥାଟି କେନ୍ଦ୍ରସ୍ତରୀୟ ହେବ। ଫଳରେ ପ୍ରତ୍ୟେକ ରାଜ୍ୟ ଜାଣିପାରିବେ, ତାଙ୍କ ପାଖକୁ କେଉଁ ରାଜ୍ୟର କେଉଁଠୁ କେତେ ଶ୍ରମିକ ଆସି ପହଞ୍ଚୁଛନ୍ତି। ଏଣୁ ଏହି ନ୍ୟାସନାଲ ମାଇଗ୍ରାଣ୍ଟ ଇନଫରମେସନ ସିଷ୍ଟମ ବ୍ୟବହାର କରିବା ଲାଗି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି।

You might also like