ଆକାଶରୁ ଖସିଲା ପଥର…ପୃଥିବୀଠାରୁ ବି ଅଧିକ ପୁରାତନ

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍‌କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍‌କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି।

ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର ନିର୍ମାଣ ହେଉଥିଲା,ଉଲ୍‌କାପିଣ୍ଡସବୁ ସେହି ସମୟର ସୃଷ୍ଟି ବୋଲି  ଗବେଷକମାନେ କହନ୍ତି। ହେଲେ  ଆଫ୍ରିକାର ସାହାରା ମରୁଭୂମିରୁ  ଉଲ୍‌କାପିଣ୍ଡର ଯେଉଁ ଟୁକୁଡା ମିଳିଛି ତାହା ପୃଥିବୀଠାରୁ ପୁରାତନ ବୋଲି ଅନୁମାନ କରାଯାଉଛି। ଏହି ପଥର ଏପରି ଏକ ଗ୍ରହର ବୋଲି ଅନୁମାନ କରାଯାଉଛି, ଯାହାର ନିର୍ମାଣ ଆରମ୍ଭ  ହେଉଥିଲା ଏବଂ ସେ ପର୍ଯ୍ୟନ୍ତ ପୃଥିବୀର କୌଣସି ଅସ୍ତିତ୍ୱ ନ ଥିଲା । ଏହି ଉଲ୍‌କାପଣ୍ଡକୁ Erg Chech 002 ବା EC 002  ଭାବେ ନାମିତ କରାଯାଇଛି।

ଗବେଷକଙ୍କ କହିବା ଅନୁଯାୟୀ, ଏହା ଏକ ପୁରାତନ ପ୍ରୋଟୋପ୍ଲାନେଟସ୍‌। ପ୍ରୋଟୋପ୍ଲାନେଟସ୍ ହେଉଛି ଗ୍ରହମାନଙ୍କର ଗଠନ ଆରମ୍ଭ ସମୟର କିଛି ଅଂଶ। ଗବେଷକମାନେ ଆହୁରି କହିଛନ୍ତି, ଏହା ହେଉଛି ସର୍ବ ପୁରାତନ ଜଣାଶୁଣା ଲାଭା । ଏହାକୁ ଅଧ୍ୟୟନ କରିବା ଦ୍ୱାରା ଆମର ସୌରପ୍ରଣାଳୀରେ  ପ୍ରାରମ୍ଭିକ ସମୟରେ କିପରି ଗ୍ରହ ଗଠନ ହୋଇଥିଲା ସେ ବିଷୟରେ ସୂଚନା ମିଳିପାରିବ।

ଏହି ଉଲ୍‌କାପିଣ୍ଡ ଆଫ୍ରିକାର ଅଲଜରିଆର ଅର୍ଗ ଚେଚ୍‌ ଡ୍ୟୁନ ସାଗରରେ ମିଳିଥିଲା ଏବଂ ଏହାର ଆଧାରରେ ଉକ୍ତ ଉଲ୍‌କାପିଣ୍ଡର  ନାମକରଣ କରାଇଥିଲା। ପ୍ରକୃତରେ ଏହି ଉଲ୍‌କାପିଣ୍ଡ ଏକାଧିକ ଉଲ୍‌କାପିଣ୍ଡରେ ତିଆରି ହୋଇଛି। ଏହାର ଓଜନ ୭୦ ପାଉଣ୍ଡ ଅର୍ଥାତ୍‌ ୩୨ କେଜିରୁ ଅଧିକ। ଗବେଷକମାନେ ଅନୁଧ୍ୟାନ ପରେ ଜାଣିବାକୁ ପାଇଛନ୍ତି, ଏହି ଅଂଶ ଲାଭା ପରି ଅର୍ଦ୍ଧତରଳ ଅବସ୍ଥାରେ ଅଛି। ପରେ ଏହା କଠିନ ହୋଇଥିଲା।

ଏହି ପଥରରେ ଥିବା ମାଗ୍ନେସିୟମ ଏବଂ ଆଲୁମିନିୟମକୁ ଗବେଷଣା କରିବା ପରେ ଏହା ୪.୫୬୬ ବର୍ଷର ପୁରୁଣା ବୋଲି ଜଣା ପଡ଼ିଥିଲା । ଏହା ବର୍ତ୍ତମାନ ସୁଦ୍ଧ ମିଳିଥିବା ସବୁଠାରୁ ପୁରୁଣା ଆଗ୍ନେୟ ଶିଳା ଅଟେ। ଏହା ପୂର୍ବରୁ ଏପରି ଆଗ୍ନେୟ ଶିଳା NWA11119 ମିଳିଥିଲା। ହେଲେ ଏହା ଏବେ ମିଳିଥିବା ଆଗ୍ନେୟ ଶିଳାଠାରୁ ୧୨.୪ ଲକ୍ଷ ବର୍ଷ ସାନ।

ଏହି ଉଲ୍‌କାପିଣ୍ଡରେ ୫୮ ପ୍ରତିଶତ ସିଲିକନ୍‌ ଡାଇ ଅକ୍ସାଇଡ ରହିଛି। ଏଥରୁ ଏହା ପୁରାତନ ଏଣ୍ଡେସାଇଟ୍‌ ଚଟ୍ଟାଣର ପ୍ରପର୍ଟି ବୋଲି ଜଣାପଡ଼େ। ଏହା ପୃଥିବୀର ଜ୍ୱାଳାମୁଖୀ ଇଲାକାରୁ ମିଳିଥିବା ବାସଲ୍‌ଟ ଚଟ୍ଟାଣରୁ ଯଥେଷ୍ଟ ଭିନ୍ନ ଅଟେ। ଏପରି ପ୍ରପର୍ଟି ଆମ ସୌର ମଣ୍ଡଳର ଆରମ୍ଭ ସମୟରେ କ୍ଷୁଦ୍ରଗ୍ରହ ଏବଂ ପ୍ରୋଟୋପ୍ଲାନେଟ୍‌ରେ ମିଳିଥାଏ।

ତେବେ ଅଧିକ ଗବେଷଣା କରାଗଲେ ଉଲକାପିଣ୍ଡର ଏହି ଅଂଶରୁ ପୃଥିବୀର ସୃଷ୍ଟି ସମ୍ପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।

You might also like